କନକ ବ୍ୟୁରୋ : ଖରାଦିନ ଆରମ୍ଭ ନହେଉଣୁ ଦେଖା ଦେଲାଣି ଜଳ ଯନ୍ତ୍ରଣା। ନଳକୂପ ଅଚଳ ହୋଇପଡ଼ିଛି। ଏପଟେ ବସୁଧା ଯୋଜନାରେ ନିର୍ମିତ ପ୍ରାୟ ଦେଢ଼ କୋଟି ଟଙ୍କାର ପାଣି ଟାଙ୍କି ନିମ୍ନମାନର କାର୍ଯ୍ୟ ପାଇଁ ଲୋକଙ୍କ କାମରେ ଆସୁନି। ଫଳରେ ଲୋକ ବାଧ୍ୟ ହୋଇ ପୋଖରୀ ପାଣି ବ୍ୟବହାର କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପାଣି ଯୋଗାଇବା ବ୍ୟବସ୍ଥା କରୁନାହାନ୍ତି ବିଭାଗୀୟ ଅଧିକାରୀ । କାହା ହାତରେ ବାଲଟି ଆଉ କିଏ ଗରା ଧରିଛି। ପାଣି ପାଇଁ ଏକାଠି ହୋଇଛନ୍ତି ଗାଁ ମହିଳା। ତୁରନ୍ତ ପାଣି ବ୍ୟବସ୍ଥା କର, ନଚେତ୍ ରାଜରାସ୍ତାରେ ହେବ ଆନ୍ଦୋଳନ । ବଢ଼ାଣ ଓ ଆଗତମଳା ଗାଁକୁ ପାଣିର କୌଣସି ବ୍ୟବସ୍ଥା ନହିଁ। ଦଳ ଭର୍ତ୍ତି ଅପରିଷ୍କାର ପୋଖରୀ ପାଣି ଗାଁ ଲୋକଙ୍କ ଏକମାତ୍ର ଭରସା। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୨ ବର୍ଷ ତଳେ ବସୁଧା ଯୋଜନାରେ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ବିଶାଳ ପାଣି ଟାଙ୍କି ନିର୍ମାଣ ହୋଇଛି। ପାଇପ ବିଛାଯାଇଛି। ଷ୍ଟାଣ୍ଡପୋଷ୍ଟ ବସାଯାଇଛି। କିନ୍ତୁ ଠିକାଦାରଙ୍କ ନିମ୍ନମାନର କାମ ପାଇଁ ଆଜି ଯାଏଁ ମୁନ୍ଦାଏ ପାଣି ଘରେ ପହଞ୍ଚିପାରିନି! ବିଭିନ୍ନ ସ୍ଥାନରେ ପାଇପ୍ ଫାଟି ପାଣି ବାହାରୁଛି। ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମହିଳା ।
ବଢାଣ ଗାଁରେ ୪ ଶହ ପରିବାର ବସବାସ କରନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫ଟି ନଳକୂପ ବସାଯାଇଥିଲା। କିନ୍ତୁ ୩ ବର୍ଷ ହେଲାଣି ସବୁ ନଳକୂପ ଅଚଳ। ବାଲି ଭର୍ତ୍ତି ହୋଇ ପାଇପ ଜାମ ହୋଇଯାଇଛି। ଗୋଟିଏ ବାଲ୍ଟି ପାଣି ପାଇଁ ୧୫ ମିନିଟ୍ରୁ ଅଧିକ ସମୟ ଲାଗୁଛି। ଟାଙ୍କି ନିର୍ମାଣ ପରେ ଦୁଃଖ ଯିବ ବୋଲି ଭାବିଥିଲେ ଗାଁ ଲୋକ। କିନ୍ତୁ ତାହା ବି ସ୍ବପ୍ନ ପାଲଟିଯାଇଛି । ଟାଙ୍କି ନିର୍ମାଣ ସମୟରେ ନିମ୍ନମାନର କାମକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ। ଗାଁ ଲୋକ କିନ୍ତୁ କେହି ଶୁଣିଲେନି। ଯାହାର ପରିଣାମ ଭୋଗୁଛନ୍ତି ନିରୀହ ଜନତା ।
ଅଧିକ ପଢ଼ନ୍ତୁ---୧୫୦ ବର୍ଷ ହେଲା ଭୂମିହୀନ ପରିବାରକୁ ମିଳୁନି ପଟ୍ଟା ; ପ୍ରତିଶ୍ରୁତିରେ ଅଟକିଛି ସମାଧାନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/basudha-yojana-2026-02-16-18-12-25.png)