କନକ ବ୍ୟୁରୋ: ଗାଁ ମହିଳାଙ୍କ ତନ୍ତୁ ବୁଣା କପଡାର ବଢୁଛି ଚାହିଦା,ତନ୍ତୁ ସାହାଯ୍ୟରେ କପଡା ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇ ପାରିଛନ୍ତି ଦୁଇ ଶହରୁ ଅଧିକ ମହିଳା । ବଢୁଛୁ ଗାଁ ମହିଳାଙ୍କୁ ତନ୍ତୁ ବୁଣା କପଡାର ଚାହିଦା,ତାଙ୍କ ହାତ ତିଆରି କପଡା ସୁନ୍ଦର ଓ ଆକର୍ଷଣୀୟ ଡିଜାଇନ ହୋଇଥିବାରୁ ଅର୍ଡର ଦେଇ କିଣି ନେଉଛନ୍ତି ବ୍ୟବସାୟୀ, ଆଉ ଏହି କପଡା ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇ ପାରିଛନ୍ତି ବସ୍ତା ଅଞ୍ଚଳର ୨୦୦ରୁ ଅଧିକ ମହିଳା, ଦେଖନ୍ତୁ ଏହି ରିପୋର୍ଟ ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଟିଗିରିଆ ଗାଁରେ ରହିଛି ନିସ୍ତାରିଣୀ ହରିଜନ ତନ୍ତୁବାୟ ସହେଯାଗ ସମିତି । ଏହି ସମିତି ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ତାଲିମ ଦେଇ ତନ୍ତୁ ସାହାଯ୍ୟରେ ଲୁଗା ବୁଣା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଟିଗିରିଆ ଗାଁର ୨୦୦ରୁ ଅଧିକ ମହିଳା ଏହି ସମିତିରୁ ତାଲିମ ନେଇ ଘରେ ଘରେ ତନ୍ତ ବସାଇ ବିଭିନ୍ନ ପ୍ରକାରର କପଡା ପ୍ରସ୍ତୁତ କରୁଛନ୍ତି । ଆଉ ଏହାକୁ ସମବାୟ ସମିତିକୁ ଦେଇ ପ୍ରତ୍ୟେକ ମହିଳା ମାସକୁ ୩ରୁ ୪ ହଜାର ଟଙ୍କା ଲେଖାଏ ରୋଜଗାର କରୁଛନ୍ତି ।
ବେଡସିଟ, ଗାମୁଛା, ଲୁଂଘି, ରୁମାଲ, ତକିଆ ଖୋଳ, ସମେତ ବିଭିନ୍ନ ପ୍ରକାରର କପଡା ପ୍ରସ୍ତୁତ କରୁଛନ୍ତି । ସମସ୍ତ ମହିଳା ଗ୍ରାମାଞ୍ଚଳର ଗୃହିଣୀ ହୋଇଥିବାରୁ ଘରର ସମସ୍ତ କାମ ସାରି ଅବସର ସମୟରେ ଏହି କାମ କରିଥାନ୍ତି । ନିଜର ଖର୍ଚ୍ଚ ପାଇଁ କାହା ପାଖରେ ହାତ ନପତାଇ ନିଜ ରୋଜଗାର ଅର୍ଥରେ ନିଜର ଖର୍ଚ୍ଚ ଉଠାଇପାରୁଛନ୍ତି । ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ପାରୁଥିବାରୁ ବହୁତ ଖୁସି ପ୍ରକାଶ କରୁଛନ୍ତି ।
କପଡା ପ୍ରସ୍ତୁତ ପାଇଁ ମୟୁରଭଞ୍ଜର ଡୁମୁରିଆ, ଖଇରା, ଜଳେଶ୍ୱରର ମାଙ୍କଡିଆରୁ କଞ୍ଚାମାଲ ଆଣିବାକୁ ପଡ଼ିଥାଏ । ଏହା ସହ ସ୍ଥାନୀୟ ବଜାର ଏବଂ କଲିକତାରୁ ମଧ୍ୟ ଅନ୍ୟାନ୍ୟ ସାମଗ୍ରୀ ଆଣିଥାଆନ୍ତି ମହିଳା ମାନେ । କପଡା ପ୍ରସ୍ତୁତ ପରେ ଭୁବନେଶ୍ୱରର ବୟନିକା କଳାମନ୍ଦିର ସହିତ ସ୍ଥାନୀୟ ବଜାର ଏବଂ ବ୍ୟବସାୟୀ ମାନଙ୍କୁ ବିକ୍ରି କରିଥାନ୍ତି । ଏବା ସହିତ ବିଭିନ୍ନ ପ୍ରଦର୍ଶନୀ ଓ ମେଳାରେ ଷ୍ଟଲ ବସାଇ ବିକ୍ରି କରିଥାନ୍ତି । ଏହି ମହିଳାମାନେ ତକିଆ ଖୋଳ, ଗାମୁଛା, ବେଡସିଟ, ଲୁଙ୍ଗୀ, ରୁମାଲ ପ୍ରଭୃତି ପ୍ରସ୍ତୁତ କରିଥାନ୍ତି ।
ଗୋଟିଏ ତକିଆ ଖୋଳ ପ୍ରସ୍ତୁତ ପାଇଁ ୬୦ରୁ ୭୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୭୫ରୁ ୮୦ ଟଙ୍କାରେ ବିକ୍ରି କରିଥାନ୍ତି । ସେହିପରି ଗୋଟିଏ ଗାମୁଛା ତିଆରି ପାଇଁ ୧୨୫ ରୁ ୧୪୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୫୦ରୁ ୧୬୦ ଟଙ୍କାରେ ବିକ୍ରି ହୋଇଥାଏ । ରୁମାଲ ପାଇଁ ୩୦ ଟଙ୍କା ଖର୍ଚ୍ଚ ୪୦ ଟଙ୍କାରେ ବିକ୍ରୀ ହୋଇଥାଏ । ଲୁଂଘି ତିଆରି ପାଇଁ ୧୭୦ ରୁ ୧୮୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨୦୦ ରୁ ୨୧୦ ଟଙ୍କାରେ ବିକ୍ରି ହୋଇଥାଏ । ବେଡସିଟ ଡିଜାଇନ ଅନୁଯାୟୀ ୨୫୦ ରୁ ୩୨୦ ଖର୍ଚ୍ଚ ହେଉଥିବା ବେଳେ ୩୫୦ ଟଙ୍କାରେ ବିକ୍ରି ହୋଇଥାଏ ।
ଅବସର ସମୟକୁ ଅପବ୍ୟୟ ନକରି ସେହି ସମୟରେ ତନ୍ତୁ ସାହାଯ୍ୟରେ କପଡା ପ୍ରସ୍ତୁତ କରି ଅର୍ଥ ରୋଜଗାର କରୁଥିବାରୁ ଏହି ମହିଳା ମାନେ ବହୁତ ଖୁସି ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଅଧିକ ପ୍ରତ୍ସୋହନ ସହିତ ଆଉ ନୂତନ ପ୍ରକାରର ଡିଜାଇନ ପାଇଁ ପ୍ରଶିକ୍ଷଣ ମିଳିଲେ ମହିଳା ମାନେ ଏହି କ୍ଷେତ୍ରରେ ଆହୁରି ଆଗକୁ ଯାଇପାରନ୍ତେ ବୋଲି ସେମାନେ ପ୍ରକାଶ କରିଛନ୍ତି ।