କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଗାଁ ଏବଂ ବ୍ଲକରେ ଲୋକଙ୍କୁ ମିଳୁନି ମୌଳିକ ସୁବିଧା । ଜାତୀୟ ମାନବଧିକାର କମିଶନ ମାଗିଲେ ଜବାବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗାଁ ରାଇକଳା ଏବଂ ବ୍ଲକ ଅବହେଳିତ । ନାରଦପୁର ପଞ୍ଚାୟତର ଜଗନ୍ନାଥପୁର ଏବଂ ବଳଭଦ୍ରପୁର ଗ୍ରାମବାସୀ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । କେନ୍ଦୁଝର ଜିଲ୍ଲା ପ୍ରଶାସନଙ୍କୁ ଜବାବ ତଲବ କରିଛନ୍ତି ଜାତୀୟ ମାନବଧିକାର କମିଶନ । ସୂଚନା ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏନେଇ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ ।

Advertisment

ନାରଦପୁର ପଞ୍ଚାୟତର ବଳଭଦ୍ରପୁର ଏବଂ ଜଗନ୍ନାଥପୁର ଗାଁରେ ତିନି ଶହରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ଗାଁର କୌଣସି ପରିବାରଙ୍କୁ ସରକାରୀ ଆବାସିକ ଯୋଜନା ମିଳିନାହିଁ । ଭଙ୍ଗା କୁଡ଼ିଆ ଚାଳଘରେ ଅଧିକାଂଶ ଗ୍ରାମବାସୀ ରହୁଛନ୍ତି । ଖରା ବର୍ଷାରେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ପାନୀୟ ଜଳ ଏବଂ ଗମନାଗମନ ସୁବିଧାରୁ ବି ବଂଚିତ ରହିଛନ୍ତି ।

ଗାଁର ସମସ୍ୟାକୁ ନେଇ ଜାତୀୟ ମାନବଧିକାର କମିଶନରେ ଅଭିଯୋଗ କରିଥିଲେ ସୂଚନା ଅଧିକାର କର୍ମୀ । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଏହି ମାମଲା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିଜ ଗ୍ରାମ ରାଇକଳାର ଚିତ୍ର ବଦଳି ଯାଇଛି । ଗମନାଗମନ ଠାରୁ ଆରମ୍ଭ କରି ପାନୀୟ ଜଳର ଅସୁବିଧା ସୁଧୁରି ଯାଇଛି । ଜଗନ୍ନାଥପୁର ଏବଂ ବଲଭଦ୍ରପୁର ଗ୍ରାମବାସୀଙ୍କ ଅସୁବିଧା କେବେ ଦୂର ହେବ ତାହା ସମୟ କହିବ ।