କନକ ବ୍ୟୁରୋ : ବାରିପଦା ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ । ସାମ୍ନାକୁ ଆସିଲା ଏହା ପଛର ସତ । ନିଜେ ଦେଇଥିବା ଅଭିଯୋଗକୁ ନିଜ ମୁହଁରେ ମିଛ ବୋଲି କହିଲେ ମହିଳାଙ୍କ ସ୍ବାମୀ । କିଛି ଦୁଷ୍ଟ ପ୍ରକୃତି ଲୋକଙ୍କ କଥାରେ ପଡ଼ି ମିଥ୍ୟା ଅଭିଯୋଗ କରିଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି ।  ଗତ ୧୬ ତାରିଖରେ ବାରିପଦା ସଦର ରଜାବସା ଗାଁରେ ନିଜ ସ୍ତ୍ରୀଙ୍କୁ ରାତି ଅଧରେ ଘରୁ ଟେକିନେଇ ୪ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ଯୁବକ । ଏପରିକି ୪ଜଣ ଯୁବକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସଦର ଥାନା ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । କିନ୍ତୁ ପୀଡ଼ିତାଙ୍କ ସ୍ବାମୀ ପୁଲିସ ଆଗରେ ନିଜ ବୟାନ ବଦଳାଇଛନ୍ତି   । ଘଟଣାକୁ ମିଛ ବୋଲି ମାନିଛନ୍ତି ପୀଡ଼ିତାଙ୍କ ସ୍ବାମୀ । ପୁଲିସ ଉଭୟ ସ୍ବାମୀ ସ୍ତ୍ରୀଙ୍କ ୧୬୪ରେ ବୟାନ ରେକର୍ଡ କରି ପ୍ରକୃତ ସତ ଜାଣିବାକୁ ପାଇଛନ୍ତି ।