କନକ ବ୍ୟୁରୋ : ଶୋଚନୀୟ ହୋଇପଡ଼ିଛି ମୟୂରଭଞ୍ଜ ଜିଲ୍ଲା ବରିପଦାର ମୁଖ୍ୟ ବସ୍‌ ଷ୍ଟାଣ୍ଡର ଅବସ୍ଥା । ଶୌଚାଳୟ, ବିଶ୍ରାମଗାର ସବୁ ଭାଙ୍ଗିବା ଅବସ୍ଥା । ପାଣି ଟିକେ ପାଇଁ ବି ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ସବୁ ଜାଣି ଜିଲ୍ଲା ପ୍ରଶାସନ ଆଖି ବୁଜି ଦେଲା ପରି ମନେ ହେଉଛି । ଅନ୍ୟପଟେ ନୂତନ ବସ୍‌ ଷ୍ଟାଣ୍ଡ ପାଇଁ ମିଳିଥିବା ପ୍ରତିଶ୍ରୁତି ବି ପାଣିର ଗାର ପରି ମିଳେଇଯାଇଛି ।

Advertisment

୪୮ ବର୍ଷ ପୁରୁଣା ବାରିପଦା ମୁଖ୍ୟ ବସ୍‌ ଷ୍ଟାଣ୍ଡ । ଅବସ୍ଥା ଯିଏ ଦେଖିବ କହିବ, ବୋଧେ ସରକାର ଏଠି ଗୋଟେ ବସ୍‌ ଷ୍ଟାଣ୍ଡ ଅଛି ବୋଲି ଭୁଲିଯାଇଛନ୍ତି । ବସ୍‌ ଷ୍ଟାଣ୍ଡ ପରିସରରେ ଥିବା ବିଶ୍ରାମାଗାର ଅବସ୍ଥା ଶୋଚନୀୟ। କାନ୍ଥ, ଛାତ ଅଳନ୍ଦୁରେ ଭର୍ତ୍ତି । ଯିଏ ବିଶ୍ରାମଗାରକୁ ଯିବ ଅସୁସ୍ଥ ହୋଇପଡ଼ିବ । ପାନୀୟ ପାଣି ମେସିନ କାମ କରୁନି । ଶୌଚାଳୟର ଭଙ୍ଗା କବାଟ ସାଙ୍ଗକୁ ଦୁର୍ଗନ୍ଧ ଯାତ୍ରୀଙ୍କୁ ଅସ୍ତବ୍ୟସ୍ତ କରିପକାଉଛି ।

ଅଦିକ ପଢ଼ନ୍ତୁ--ପିଲାମାନଙ୍କ ଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା

ପ୍ରତିଦିନ ୩୦୦ରୁ ଅଧିକ ବସ୍ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଗଡ଼ୁଛି । ହେଲେ ଯାତ୍ରୀଙ୍କ ପାଇଁ କୌଣସି ସୁବିଧା ନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ଅବସ୍ଥା ଶୋଚନୀୟ ହୋଇଥିବା କହିଛନ୍ତି ବସ୍ ମାଲିକ ସଂଘ । ଅନ୍ୟପଟେ ଗତ ନିର୍ବାଚନ ବେଳେ ଜିଲ୍ଲାବାସୀ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ନେଇ ଯେଉଁ ପ୍ରତିଶ୍ରୁତି ମିଳିଥିଲା, ତାହା ସ୍ବପ୍ନ ହୋଇ ରହିଯାଇଛି । ତୁରନ୍ତ ବସ୍‌ ଷ୍ଟାଣ୍ଡର ରକ୍ଷଣାବେକ୍ଷଣ ଦିଗରେ ଧ୍ୟାନ ଦେବା ସହ ନୂଆ ବସ୍‌ ଷ୍ଟାଣ୍ଡ କାମ ଆରମ୍ଭ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।