କନକ ବ୍ୟୁରୋ: ବରଗଡକୁ ଓଡିଶାର ଭାତହାଣ୍ଡି ବୋଲି କୁହାଯାଏ । ହେଲେ ଏଠି ବିକ୍ରି ହେଉଛି ରକମ ରକମ କମ୍ପାନିର ଧାନ ବିହନ । କେଉଁ ବିହନ ଅସଲି ତ କେଉଁ ବିହନ ନକଲି । ଆଉ ଏବେ ନକଲି ବିହନ କାରବାର ଉପରେ କୃଷି ବିଭାଗ ଆକ୍ସନ ନେବା ପରେ ସାମ୍ନାକୁ ଆସିଛି କମ୍ପାନିର କଳାକାରନାମା ।  

Advertisment

ବରଗଡ ଜିଲ୍ଲାର ଚାଷୀ ବିଲରେ ଧାନ ଚାଷ କରୁଛନ୍ତି । କିନ୍ତୁ ଚାଷୀମାନଙ୍କୁ ସରକାରୀ ବିହନ ଠିକରେ ମିଳୁନି । ବାଧ୍ୟ ହୋଇ ଏମାନେ ଡିଲରଙ୍କ ପାଖକୁ ଯାଇ ବିହନ ଆଣି ଧାନ ବୁଣିଛନ୍ତି । କିନ୍ତୁ ଧାନ ଗଜା ହେଉନି। ତେଣୁ ଡିଲର ନକଲି ବିହନ ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଅଭିଯୋଗ ଅନୁସାରେ ଚାଷୀ,  ପାନ ୮୦୪ କମ୍ପାନୀର ଧାନ ବିହନ ଆଣି ବୁଣିଥିଲେ । କିନ୍ତୁ ଗଜା ନହେବାରୁ ଏନେଇ କୃଷି ବିଭାଗକୁ ଜଣାଇଥିଲେ । ତାପରେ କୃଷି ବିଭାଗ ୬ ଜଣ ଲାଇସେନ୍ସଧାରୀଙ୍କ ଉପରେ ଆକ୍ସନ ନେଇଥିଲା । କିନ୍ତୁ ବିଡମ୍ବନାର ବିଷୟ ହେଉଛି ନକଲି କମ୍ପାନୀ ବିରୋଧରେ ଏଯାଏଁ କୌଣସି କାର୍ୟ୍ୟାନୁଷ୍ଠାନ ହୋଇ ନାହିଁ ।  ଅନ୍ୟପଟେ ଚାଷୀଙ୍କୁ କମ୍ପାନି କିଛି କିଛି ଟଙ୍କା ଫେରାଇ କଥାକୁ ଚପାଇବାକୁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି ।  

ପାନ କମ୍ପାନି କିଛି ବିହନ ବିକିବାକୁ ଅନୁମତି ଆଣି ପାନ ୮୦୪କୁ ବିନା ଅନୁମତିରେ କାରବାର କରୁଥିବା କୃଷି ବିଭାଗ ତଦନ୍ତରେ ଧରାପଡିଛି ।  ଏହାରି ଭିତରେ ପୁରା ଘଟଣାକୁ ନେଇ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମୁହଁ ଖୋଲିଛନ୍ତି । ଯେଉଁ ବିହନ ଓଡ଼ିଶା ସରକାରଙ୍କ ଅନୁମତି ପାଇନାହାନ୍ତି, ତାକୁ ନକଲି ବିହନ କୁହାଯାଉଛି  । ଆଉ ପାନ ୮୦୪ ବିହନ ବିକ୍ରି ଅନୁମତି ନଥାଇ ବଜାରରେ ବିକ୍ରି ହେଉଛି । ତେଣୁ କୃଷି ବିଭାଗ କାର୍ୟ୍ୟାନୁଷ୍ଠାନ ନେଇପାରିବ ବୋଲି କହିଛନ୍ତି । 
 
ପ୍ରଶ୍ନ ଉଠୁଛି, ଲାଇସେନ୍ସ ନଥାଇ ଚାଷୀଙ୍କୁ ବିହନ ଦେବାକୁ ଅନୁମତି ଦେଲା କିଏ? ଏଥିପାଇଁ କାହାକୁ ଦାୟୀ କରାଯିବ ନ ନାହିଁ କେମିତି? ତେବେ ଏ ଦିଗରେ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି, ନକଲି ବିହନ ବିକ୍ରି ଉପରେ କେବେ ରୋକ ଲାଗୁଛି ତାହା ଦେଖିବାକୁ ବାକି ରହିଲା