କନକବ୍ୟୁରୋ : ଧନୁଯାତ୍ରା ପାଇଁ ବଦଳିଲା ସ୍କୁଲ ଟାଇମ  ।  ଧନୁଯାତ୍ରା ମହୋତ୍ସବ ସରିବା ପର୍ଯ୍ୟନ୍ତ ବରଗଡ଼ ସହରରେ ଥିବା ସମସ୍ତ ସ୍କୁଲ, କଲେଜରେ ସକାଳ ୮ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ପାଠପଢା ଚାଲିବ  ।  ଧନୁଯାତ୍ରା ସରିବା ପରେ ପୂର୍ବ  ନିର୍ଦ୍ଧାରିତ ସମୟରେ ଛାତ୍ରୀଛାତ୍ରଙ୍କ ପାଠପଢା ପୁଣି ଆରମ୍ଭ ହେବ  । ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଏଥର ଦର୍ଶକଙ୍କ ଭିଡ ବଢିବାରେ ଲାଗିଛି   । ମହୋତ୍ସବ ସରିବା ପାଇଁ ଆହୁରି ୭ ଦିନ ବାକି ଅଛି  । ଫଳରେ ଭିଡ଼ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବରଗଡ ଜିଲା ଶିକ୍ଷା ବିଭାଗ ଆଜିଠୁ ୧୩ ତାରିଖ ପର୍ଯ୍ୟନ୍ତ ସହରରେ ଥିବା ସବୁ ସ୍କୁଲ ଓ କଲେଜରେ ପାଠପଢା ସମୟକୁ ପରିବର୍ତ୍ତନ କରିଛନ୍ତି  ।   

Advertisment

ବରଗଡ଼ ଧନୁଯାତ୍ରାର ଆଜି ଚତୁର୍ଥ ଦିନ। ଆଜି ମଞ୍ଚସ୍ଥ ହେବ ଗୋପପୁରରେ ଗୋପୀ ଓ ଗୋପାଳଙ୍କ ଲୀଳାଖେଳାର ଦୃଶ୍ୟ। ଗତକାଲି ତୃତୀୟ ଦିନରେ ରାଜ ଅତିଥି ଭାବରେ ମହାରାଜ କଂସଙ୍କ ଦରବାରରେ ଉପସ୍ଥିତ ହୋଇଥିଲେ ରାଜସ୍ଵ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା  । ପ୍ରଜାମାନଙ୍କ ପାଇଁ ମଥୁରାରୁ କୁମ୍ଭମେଳା ପାଇଁ କାହିଁକି  ବସ୍‌ର ବ୍ୟବସ୍ଥା ହୋଇନାହିଁ ବୋଲି ମହାରାଜ କଂସ ପ୍ରଶ୍ନ କରିଥିଲେ ।  ମହାରାଜା କଂସଙ୍କ ଆଦେଶ କ୍ରମେ କୁମ୍ଭ ମେଳା ପାଇଁ ମଥୁରାରୁ ଆହ୍ଲାବାଦ ଓ ଅଯୋଧ୍ୟା ଭଲ୍‌ବୋ ବସ୍ ଚାଲିବ । ସେହିପରି ରାଜସ୍ବ ମନ୍ତ୍ରୀ କହିଛନ୍ତି, ଅଧର୍ମ ବିରୁଦ୍ଧରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ବିରୁଦ୍ଧରେ ନ୍ୟାୟର ଜୟର ବାର୍ତ୍ତାବହ ହୋଇଛି ଧନୁଯାତ୍ରା।