କନକ ବ୍ୟୁରୋ: ବାରବାଟୀ ବିଭ୍ରାଟକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଓସିଏ ଅବହେଳା କରିଥିବାରୁ ବାରବାଟୀ ବଦନାମ ଓ ଓଡ଼ିଶା ନିନ୍ଦିତ ହୋଇଛି। ଫ୍ଲଡ଼ ଲାଇଟ ବିଭ୍ରାଟ ପରେ ପୂର୍ବତନ ଓସିଏ ସଦସ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ବିସିସିଆଇ ଟଙ୍କାରେ ମ୍ୟାଚ ପାଇଁ କିଣାଯାଇଥିବା ଡିଜି ସେଟକୁ ବିବାହ, ବ୍ରତଘରେ ଭଡ଼ା ଦିଆଯାଇଥିଲା ।

Advertisment
  • ଫ୍ଲଡ୍‌ ଲାଇଟ ବିଭ୍ରାଟ, ବଦନାମ ବାରବାଟୀ
  • ଓସିଏର ଅବହେଳା, ଓଡ଼ିଶାକୁ ଅପମାନ!

ଦୀର୍ଘ ୨୫ ମିନିଟ କାଳ ଫ୍ଲଡ ଲାଇଟ ବିଭ୍ରାଟ ଓସିଏର ଅପାରଗତାକୁ ପଦାରେ ପକାଇ ଦେଇଛି। ଓସିଏ ସଂପାଦକଙ୍କ ସଫେଇ ଓସିଏକୁ ଆହୁରି ବିବାଦ ଭିତରକୁ ଟାଣି ନେଇଛି। ଆଉ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଓସିଏର ପ୍ରସ୍ତୁତିକୁ ପ୍ରଶ୍ନ ଘେରର ଛିଡ଼ା କରିଛି । ଏହି ଭିଡିଓରେ, ଫ୍ଲଡ ଲାଇଟ ଲିଭି ଯିବା ପରେ 
ଜେନେରେଟର ନିଆଯାଉଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଓସିଏ ସଦସ୍ୟ ।

ପୁଣି ଅପବାଦ ମୁଣ୍ଡାଇଲା ବାରବାଟୀ। ବିଶ୍ୱ ଦରବାରରେ ନିନ୍ଦିତ ହେଲା ଓଡ଼ିଶା। ଭାରତ- ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଫ୍ଲଡ଼ ଲାଇଟ ବିଭ୍ରାଟ ଓସିଏର ଚରମ ବିଶୃଙ୍ଖଳାକୁ ପଦାରେ ପକାଇ ଦେଇଛି । ପ୍ରଶ୍ନ ଉଠୁଛି, ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପାଇଁ ଥିବା ମାନଦଣ୍ଡ ଅନୁଯାୟୀ ସବୁ କିଛି ଯାଞ୍ଚ ହୋଇଥିଲା କି?

  • ଅନ୍ତର୍ଜାତୀୟ ମ୍ୟାଚ ପାଇଁ ସମସ୍ତ ଉପକରଣ ପଡ଼ିଆରେ ୨ରୁ ୩ ଦିନ ପୂର୍ବରୁ ଖଞ୍ଜା ଯାଇଥାଏ
  • ପ୍ରତ୍ୟେକ ଦିନ ଟ୍ରାଏଲ ରନ କରାଯାଇଥାଏ
  • ଅନ୍ତର୍ଜାତୀୟ ମାନଦଣ୍ଡର ଯାଞ୍ଚ ପାଇଁ ଆସିଥିବା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଯାଞ୍ଚ କରାଯାଏ
  • ଯଦି ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ପ୍ରସ୍ତୁତିର ଯାଞ୍ଚ କରାଯାଇଥିଲା, ତେବେ ବିଭ୍ରାଟ ହେଲା କାହିଁକି?
  • ଆଉ ଏସବୁ ପାଇଁ ଓସିଏକୁ ଦାୟୀ କରିଛନ୍ତି ପୂର୍ବତନ ଓସିଏ ସଦସ୍ୟ 

କୁହାଯାଉଛି ଓସିଏ, ମ୍ୟାଚ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଉପରେ ଜୋର ଦେବା ବଦଳରେ ଟିକେଟ ଓ ପାସ ବାଣ୍ଟିବାରେ ବ୍ୟସ୍ତ ରହିଲା। ବଡ଼ବଡ଼ିଆଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ପ୍ରସ୍ତୁତିରେ ଅବହେଳା ହିଁ ବାରବାଟୀ ବିଭ୍ରାଟର କାରଣ ପାଲଟିଲା।