କନକ ବ୍ୟୁରୋ: ଉଡ଼ୁଛି ନାଲି ଫର ଫର ନେତ । ଚାଲିଛି ମହାପ୍ରଭୁଙ୍କ ନାମ ସ୍ମରଣ । ସେବାୟତମାନଙ୍କ ଦ୍ୱାରା ଚାଲିଛି ମହାଦେବଙ୍କ ପୂଜାର୍ଚ୍ଚନା । ଗରାରେ ଜଳ ଆଣି ମହାଦେବଙ୍କୁ ଅଭିଷେକ କରାଯାଉଛି । ସେପଟେ ଘଣ୍ଟୁଆମାନଙ୍କ ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଉଛି ପରିବେଶ । ତାସହିତ କାହାଳି ତୁରୀର ମିଶ୍ରଣରେ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ । ପୁରୀ ଜିଲ୍ଲା ସାକ୍ଷୀ ଗୋପାଳ ନିକଟ ବରାଳ ବାଲୁଙ୍କେଶ୍ୱରଙ୍କ ପୀଠର ଦୃଶ୍ୟ । ଠାକୁରଙ୍କ ପାଖରେ ପୂଜର୍ଚ୍ଚନା କରାଯାଉଥିବା ବେଳେ ପ୍ରଭୁଙ୍କ ବିଭୂତି ସଂଗ୍ରହ ମଧ୍ୟ ଏକ ପର୍ବ । ଠାକୁରଙ୍କ ଆଜ୍ଞାମାଳକୁ ନେଇ ବ୍ରାହ୍ୱଣମାନେ ଏକ ବିରାଟ ପଟ୍ଟୁଆରରେ ଯାଇଥାନ୍ତି ବିଭୂତି ବାଟିକାକୁ ।
ହାତରେ ବେତର ଟୋକେଇ ଓ ଶାବଳକୁ ଧରି ସେବାୟତ ମାନେ ଏକାଠି ହୋଇ ଯାଇଥାନ୍ତି ବିଭୂତି ବାଟିକାକୁ । ସେଠାରେ ଥିବା ଏକ ବରଗଛ ମୂଳରେ ଠାକୁରଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । ପୂଜା ଶେଷ ହେବା ସେବାୟତମାନେ ଖୋଳି ମାଟି ସଂଗ୍ରହ କରିଥାନ୍ତି । ଏହାକୁ ସଂଗ୍ରହ କରି ଆଣିବା ପରେ ମନ୍ଦିର ପରିସରରେ ଶୁଖା ଯାଇଥାଏ । ବିଭୂତି ସଂଗ୍ରହ କରି ଆଣିବା ପରେ ଆସନ୍ତା ଦଶହରାରେ ଏହାକୁ ପୂଜାର୍ଚ୍ଚନା କରାଯାଇ ବିଭୂତି ପ୍ରସ୍ତୁତ କରାଯାଇଥାଏ ।
ଏହା ପରେ ପ୍ରଥମେ ଠାକୁରଙ୍କୁ ସମର୍ପଣ କରାଯିବା ପରେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥାଏ । ଠାକୁରଙ୍କୁ ଏହି ବିଭୂତି ସଂଗ୍ରହ ବର୍ଷର ଗୋଟିଏ ଦିନରେ କରାଯିବାର ରହିଛି ପରମ୍ପରା । ବାବା ବରାଳ ବାଲୁଙ୍କେଶ୍ବରଙ୍କ ଶହଶହ ବର୍ଷର ପ୍ରଥା ପରମ୍ପରା ଓ ସଂସ୍କୃତି ଏବେ ବି ବଂଚି ରହିଛି । ଯାହାର ଆଧାରରେ ଚାଲିଛି ପ୍ରଭୁ ମହାଦେବଙ୍କ ପୂଜାର୍ଚ୍ଚନା ।