କନକ ବ୍ୟୁରୋ: ପାକିସ୍ତାନ ବାରମ୍ବାର ସୀମାରେ ଗୁଳିବର୍ଷା କରୁଛି ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରୁଛି । ପାକିସ୍ତାନର ସବୁ ଆକ୍ରମଣର ଗୋଟି ଗୋଟି କରି ଜବାବ ଦେଉଛି ଭାରତ । ଭାରତୀୟ ସେନା ପକ୍ଷରୁ କେବଳ ଜବାବ ନୁହେଁ, କଡ଼ା ଜବାବ ଓ ମୁହଁତୋଡ଼ ଜବାବ ଦିଆଯାଉଛି । ସେପଟେ ପାକିସ୍ତାନର ସମସ୍ତ ମିସାଇଲ ଓ ଡ୍ରୋନ୍କୁ ଦମନ କରିବାକୁ ଭାରତୀୟ ସେନା ଶକ୍ତି ପ୍ରଦର୍ଶନ କରୁଛି । ଏହା ଭିତରେ ଶତ୍ରୁ ଦେଶର ‘ଫତେହ ୱାନ୍’ ମିସାଇଲକୁ ଖସାଇ ଦେଇଛି ଭାରତର ‘ବରାକ ୱାନ୍’ ମିସାଇଲ । ଜାଣନ୍ତୁ ଭାରତର ଏହି ଶକ୍ତିଶାଳୀ ‘ବରାକ ୱାନ୍’ ମିସାଇଲ କେତେ ଶକ୍ତିଶାଳୀ ? କିଭଳି ପାକିସ୍ତାନର ଫତେହ ୱାନ୍କୁ ମାତ୍ ଟକ୍କର ଦେଇଛି ?
ପାକିସ୍ତାନକୁ ଧୂଳି ଚଟାଇଛି ‘ବରାକ ୱାନ୍’ ମିସାଇଲ । ବରାକ୍ର ଅର୍ଥ ବିଜୁଳି । ଅତ୍ୟାଧୁନିକ, ଦୂରଭେଦଗାମୀ, ଦ୍ରୁତ ମିସାଇଲ ସିଷ୍ଟମ୍ ହେଉଛି ‘ବରାକ ୱାନ୍’ । ଏହା ଆକ୍ରମଣ ସହ ତଥ୍ୟ ଦେଇପାରୁଥିବା ଏକ ମିସାଇଲ । ସ୍ଥଳଭାଗରୁ ଆକାଶକୁ ସଠିକ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ଏଥିରେ ରହିଛି । ଏହା ସହିତ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ ବି ପାରେ । ଏକୁଟିଆ ଏକାଧିକ ଆକ୍ରମଣକୁ ପ୍ରତିହତ କରିପାରେ ‘ବରାକ ୱାନ୍’ ମିସାଇଲ । ଅର୍ଥାତ୍ ବିଭିନ୍ନ ଦିଗରୁ ଆକ୍ରମଣ ହେଲେ ଏକାସହ ଟାର୍ଗେଟ୍ କରିପାରେ । ୭୦ରୁ ୧୦୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରହିଛି ।
‘ବରାକ ୱାନ୍’ର ଦୁଇଟି ଅତ୍ୟାଧୁନିକ ସଂସ୍କରଣ ରହିଛି । ଗୋଟିଏ ହେଉଛି ‘ବରାକ ୱାନ୍’ ଓ ଅନ୍ୟଟି ଏମ୍ଆର ଓ ବରାକ-୮ ଏସ୍ଏଏମ୍ । ବିମାନ, ହେଲିକପ୍ଟର, ଆଣ୍ଟିସିପ୍ ମିସାଇଲ, ୟୁଏବି, ବାଲେଷ୍ଟିକ, କ୍ରୁଜ୍ ମିସାଇଲ ଓ ଯୁଦ୍ଧ ଜେଟ୍ର ଆକ୍ରମଣକୁ ପ୍ରତିହତ କ୍ଷମତା ଏହାର ରହିଛି । ଇସ୍ରାଏଲ ପ୍ରତିରକ୍ଷା ପ୍ରଣାଳୀର ଅନ୍ୟତମ ଶକ୍ତିଶାଳୀ ମିସାଇଲ ହେଉଛି ‘ବରାକ ୱାନ୍’ । ଭାରତ ଓ ଇସ୍ରାଏଲ ମିଳିତ ଭାବେ ବରାକ୍ର ନୂଆ ସଂସ୍କରଣକୁ ବିକଶିତ କରିଛନ୍ତି । ଅର୍ଥାତ୍ ଡିଆର୍ଡିଓ ଓ ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ଏହାକୁ ନିର୍ମାଣ କରିଛନ୍ତି । ଏହାର ଓଜନ ୨୭୫ କେଜି ଓ ଲମ୍ବ ୪.୫ ମିଟର । ଶତ୍ରୁ ମାତ୍ ଦେବାକୁ ଏହା ଏକ ଗେମ ଚେଞ୍ଜର ମିସାଇଲ ଭାବେ ଜଣାଶୁଣା ।