କନକ ବ୍ୟୁରୋ: ବରଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାକିରି କେଳେଙ୍କାରୀକୁ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ। ଅଭିଯୋଗର ସତ୍ୟତା କେତେ ରହିଛି, ତଦନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବରଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ କୋ-ଅର୍ଡିନେଟର ଓ ଏମଆଇଏସ ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ ଟଙ୍କା କାରବାର ଓ ବନ୍ଧୁ ପରିଜନଙ୍କୁ ନିଯୁକ୍ତିର ଖୁଲାସା ପରେ ଏବେ ପ୍ରଶାସନର ଚେତା ପଶିଛି । ଖବର ପ୍ରସାରଣ ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗକାରିଣୀଙ୍କୁ ପଚରାଉଚରା ପାଇଁ ଡାକିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ନକଲି ଅଭିଜ୍ଞତା ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଦୁଇ ଯୁବକଙ୍କର ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଅନ୍ୟ ଆବେଦନକାରୀଙ୍କ ତୁଳନାରେ କମ୍ । ତଥାପି ଗାଁର ବନ୍ଧୁ, ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବାରୁ ଯୋଗ୍ୟଙ୍କୁ ବାଦ୍ ଦେଇ ତାଙ୍କୁ ଚାକିରି ମିଳିଥିବା ଅଭିଯୋଗ ହୋଇଛି । ଚାକିରି କେଳେଙ୍କାରୀରେ ମଙ୍ଗଳ ଅଧିକରୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ ବଢ଼ୁଥିବା ବେଳେ ଜିଲ୍ଲାପାଳଙ୍କ ତାଗିଦ ପରେ ସ୍ୱର ବଦଳାଇଛନ୍ତି ବାବୁ । ଏବେ ପ୍ରଶ୍ନ ଉଠୁଛି, ଅଭିଜ୍ଞତା ପ୍ରମାଣପତ୍ର ଯାଞ୍ଚ ବେଳେ କେମିତି ଜାଣିପାରିଲେନି ମଙ୍ଗଳ ଅଧିକାରୀ ? ସଠିକ୍ ତଦନ୍ତ ହେବ ନା ଭାଇ ବନ୍ଧୁଙ୍କୁ ବଞ୍ଚାଇବା ପାଇଁ ନୂଆ ବାଟ କାଢ଼ିବେ ମଙ୍ଗଳ ଅଧିକାରୀ ।