କନକ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ଧନୁଯାତ୍ରାବେଳେ ବରଗଡରେ ଯୁବତୀଙ୍କ ସହ ଜଘନ୍ୟ କାଣ୍ଡ ଘଟିବା ଖବର ସମସ୍ତଙ୍କୁ ଚକିତ କରିଛି। ଯେତେବେଳେ ବରଗଡରେ ମହାପ୍ରତାପୀ କଂସଙ୍କ ଶାସନ ଚାଲିଥିଲା, ପୂରା ଅଂଚଳର ଉତ୍ସବ ମୁଖର ଥିଲା ସେତେବେଳେ ଏତେ ବଡ ଅଘଟଣ କେମିତି ଘଟିଲା ତାହା ଆଲୋଚନାର ବିଷୟ ହୋଇଛି। ହେଲେ, ନିଦାବିଷ୍ଣୁ ସାଜିଛି ବରଗଡ ପୋଲିସ। ଘଟଣାକୁ ଏହା ଭିତରେ ଦୁଇ ଦିନ ବିତି ଯାଇଥିଲେ ବି ପୋଲିସ ରହସ୍ୟ ଉପରୁ ପରଦା ହଟାଇ ପାରିନି। ଯାହାକି ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ପୀଡିତାଙ୍କ ସମ୍ପର୍କୀୟ ଅଭିଯୋଗ ଆଣି କହିଛନ୍ତି, ଯୁବତୀଙ୍କୁ ଅପହରଣ କରି ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା। ପୋଲିସ ତୁରନ୍ତ ଅଭିଯୁକ୍ତଙ୍କୁ ଧରିବା ସହ ପୂରା ଘଟଣାର ପର୍ଦାଫାଶ କରୁ। 

Advertisment

ଗୋଟିଏ ପଟେ ପୋଲିସର ବେଫିକର ମନୋବୃତି, ଆଉ ଅନ୍ୟପଟେ ହସ୍ପିଟାଲରେ ବେଡରେ ଯୁବତୀ ଚିକିତ୍ସିତ ହେବା ପୁରା ଘଟଣାକୁ ରହସ୍ୟମୟ କରି ଦେଇଛି। ବଡ କଥା ହେଉଛି, ଯୁବତୀଙ୍କ ମୁଣ୍ଡରେ ଆଘାତ ଲାଗି ଥିବାରୁ ସେ କିଛି କହି ପାରୁନାହାନ୍ତି। ତେଣୁ ସେଦିନ ତାଙ୍କ ସହ କଣ ଘଟିଥିଲା, ତାହା ସ୍ପଷ୍ଟ ହୋଇ ପାରୁନି। ତେବେ ଯୁବତୀଙ୍କ ଜୀବନ ପ୍ରତି ବିପଦ ନାହିଁ ବୋଲି ଭୀମସାର ନିର୍ଦ୍ଦେଶକ କହିଛନ୍ତି।  

ପ୍ରଶ୍ନ ଉଠୁଛି, ଏତେ ବଡ ଘଟଣାକୁ ହାଲୁକା ଭାବେ ନେଉଛି କି ବରଗଡ ପୋଲିସ୍? ସତକୁ ଚପାଇ ଦେବାକୁ ଯୋଜନା କରୁଛି କି ପୋଲିସ୍?