କନକ ବ୍ୟୁରୋ : ଚଳିତବର୍ଷ ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜାନୁଆରୀ ୩ ତାରିଖରୁ ଧନୁଯାତ୍ରା ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ । ୧୧ ଦିନ ଧରି ବରଗଡରେ ଚାଲିବ ଏହି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ମହାରାଜ କଂସଙ୍କ ସଂଳାପରେ ପ୍ରକମ୍ପିତ ହେବ ଗଗନ ପବନ । ୧୧ ଦିନ ଧରି ମହାରାଜ କଂସଙ୍କ ରାଜୁତି ଚାଲିବ ବରଗଡରେ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରାର ପ୍ରଥମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ୨୦୨୩-୨୪ ଆୟ ବ୍ୟୟ ଖର୍ଚ୍ଚ ବାବଦରେ ଆଲୋଚନା ହୋଇଛି । ଧନୁଯାତ୍ରା କମିଟି ତରଫରୁ ଚଳିତବର୍ଷ ଏହି ଧନୁଯାତ୍ରାକୁ କିଭଳି ସରସ ସୁନ୍ଦର କରାଯିବ ସେନେଇ ସଦସ୍ୟଙ୍କ ସହ ଆଲୋଚନା ସରିଛି । ସବୁ ବିଭାଗ ସମନ୍ବୟ ରଖି କିଭଳି ଧନୁଯାତ୍ରା ସୂଚାରୁ ରୂପେ ଶେଷ କରାଯିବ ସେନେଇ ପ୍ରଥମ ବୈଠକରେ ଆଲୋଚନା ହୋଇଛି । ଚଳିତବର୍ଷ ମହାରାଜ କଂସ ଭୂମିକାରେ ହୃଷିକେଶ ଭୋଇ ଅଭିନୟ କରିବେ ।