କନକ ବ୍ୟୁରୋ : ପ୍ରବାସୀ ଆସିବେ ବୋଲି ସଜେଇ ହେଉଛି କଟକ ସହର । ହେଲେ ଐତିହାସିକ ବାରବାଟୀ ଦୁର୍ଗ ପାଖରେ ଥିବା ଗଡଖାଇକୁ କେହି ପଚାରୁ ନାହାଁନ୍ତି । ଦଳ ଓ ଆବର୍ଜନାରେ ଭର୍ତ୍ତି । ହେଲେ ଏଥିପ୍ରତି କାହାର ନିଘା ନାହିଁ । ସେପଟେ ସିଏମ୍‌ସି କମିଶନର କହିଛନ୍ତି ଏବେ ଏହାର ସୌନ୍ଦର୍ୟୀକରଣ ପାଇଁ ସେମିତି କିଛି ଯୋଜନା ନାହିଁ ।

Advertisment

ସଜେଇ ହେଉଛି ୧୪ଶହ ବର୍ଷ ପୁରୁଣା ସହର କଟକ । ପ୍ରବାସୀ ଭାରତୀୟ ଓଡ଼ିଶା ଆସିବେ ଏବଂ କଟକର ପାଞ୍ଚଟି ସ୍ଥାନ ବୁଲିବେ, ସେଥିରୁ ଗୋଟିଏ ହେଉଛି ଐତିହାସିକ ବାରବାଟୀ ଦୁର୍ଗ । ହେଲେ ଦୁର୍ଗ ପାଖରେ ଥିବା ଐତିହାସିକ ଗଡ଼ଖାଇ ଅବହେଳିତ ହୋଇ ପଡ଼ିରହିଛି । ଯୋଜନା ଥିଲା, ଦଳ ବାହାରିବ, ଆଲୋକିକରଣ ହେବ, ଏବଂ ବୋଟିଂ ସୁବିଧା କରାଯିବ । ହେଲେ ଗଡ଼ଖାଇର ଅବସ୍ଥା ଦେଖିଲେ ଆପଣ ବୁଝି ପାରୁଥିବେ କାମ କେମିତି ଚାଲିଛି । ପ୍ରବାସୀ ଯେତବେଳେ ଗଡ଼ଖାଇକୁ ଦେଖିବେ କଣ ଭାବିବେ ? କଣ ଏମିତି ନିଆଯାଉଛି ଆମ ଐତିହାସିକ ସ୍ଥଳୀର ଯତ୍ନ ? ବାରବାଟୀ ଦୂର୍ଗ ସଜେଇ ହେଇଛି, କିନ୍ତୁ ଅବହେଳିତ ଗଡ଼ଖାଇ ? ଏନେଇ ସିଏମ୍‌ସି କମିଶନର କହିଛନ୍ତି ଏହାର ରକ୍ଷଣାବେକ୍ଷଣ ପାଇଁ ସେମିତି କିଛି ଯୋଜନା ନାହିଁ ।

ଐତିହ୍ୟ ସଂପନ୍ନ ଗଡ଼ଖାଇ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବ୍ୟୟବରାଦ କରିବା ଦରକାର, କାରଣ ଏ ଦାଇତ୍ୱ ଏଏସ୍‌ଆଇର ବୋଲି କହିଛନ୍ତି କଟକ ମେୟର । କେବଳ ସେତିକି ନୁହେଁ, ସେ ରାଜ୍ୟସଭା ସାଂସଦ ଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପ୍ରସଙ୍ଗ ଉଠାଇଥିବା କହିଛନ୍ତି ।

ପ୍ରବାସୀ କଟକକୁ ଆସିବେ ବୋଲି ସହରକୁ ସୁନ୍ଦର କରାଯାଉଛି, ହେଲେ ଅପରିଷ୍କାର ହେଇ ପଡ଼ିରହିଛି ଗଡ଼ଖାଇ । ଅର୍ଥାତ ପ୍ରବାସୀ ବାରବାଟୀର ଐତିହ୍ୟ ତ ଦେଖିବେ, ଅପରିଷ୍କାର ଗଡ଼ଖାଇର ଅନୁଭୂତି ବି ନେବେ ।