କନକ ବ୍ୟୁରୋ:  ଚାଷୀ ପରିବାର ଘରେ ଘରେ ଲୁହାରେ ତିଆରି ଦା’, କୋଡ଼ି, କୋଦାଳ, ଟାଙ୍ଗିଆ ଓ ଫାଉଡ଼ା ଆଦି ଦେଖିବାକୁ ମିଳିଥାଏ । ହେଲେ ଏହି ସବୁ ସାମଗ୍ରୀ ତିଆରି କରୁଥିବା । କମାର ପରିବାର ଏବେ ଅବହେଳିତ ଅବସ୍ଥାରେ ରହିଛନ୍ତି ।  କଟକ ଜିଲ୍ଲା ବାଙ୍କୀ ବଜାର, ସାହାଡ଼ାପଦା, ବରହମପୁରା, କୁଶୁପଙ୍ଗି, ମକୁନ୍ଦପୁର, ତାଳବସ୍ତ, ଜଗନ୍ନାଥପୁର ଆଦି ଅନେକ ଗାଁରେ କମାର ପରିବାର ରୁହନ୍ତି । କିନ୍ତୁ ସମୟ କ୍ରମେ ଏହି ସବୁ ଗାଁର କାରିଗର ମାନଙ୍କ କମାରଶାଳ ଆଉ ଦେଖିବାକୁ ମିଳୁନାହିଁ । 

Advertisment

ବରହମପୁରା ଗାଁର ମାୟାଧର ମହାରଣାଙ୍କ ବୟସ ୭୫ ବର୍ଷ ଟପିଲାଣି । ତଥାପି ସେ ଏହି ବୃତ୍ତିକୁ ଆପଣାଇଛନ୍ତି । ତାଙ୍କର ୨ ପୁତୁରା ତାଙ୍କୁ ସହଯୋଗ କରୁଛନ୍ତି। ଆଜିର ଆଧୁନିକ ଯୁଗରେ ଚାଷ କାର୍ଯ୍ୟରେ ଲାଗୁଥିବା ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ବାହାରିଯିବା ଫଳରେ ଆଉ ଚାଷୀମାନେ ବିଶେଷକରି ତାଙ୍କ ପାଖକୁ ଆସୁନାହାନ୍ତି । ଫଳରେ  ଧୀରେ ଧୀରେ ଆୟ ମଧ୍ୟ କମିଯାଇଛି। ଯାହାକି ପରିବାର ପ୍ରତିପୋଷଣ କରିବା ସମ୍ଭବ ନୁହେଁ ।

ବାଙ୍କୀ ଅଞ୍ଚଳର ଚାଷୀ ପ୍ରତାପ ଗୁମାନସିଂ, ଦୀନବନ୍ଧୁ ରାଉତ, ସନ୍ତୋଷ କୁମାର ଧଳ, ଅଜୟ ପ୍ରଧାନ କୁହନ୍ତି, ଆଧୁନିକ ଯନ୍ତ୍ରପାତି ଓ ମେସିନ୍ ପ୍ରଚଳନ ହେବା ଫଳରେ କମାରଶାଳ ଏକ ରକମର ବନ୍ଦ ହେବାକୁ ବସିଲାଣି । ଶାଳ ଚଳାଇବା ପାଇଁ କାଠ ଓ କୋଇଲାର ଅଭାବ ରହିଛି । ଦିନକୁ ଗୋଟିଏ କିମ୍ବା ଦୁଇଟି କାମ ଆସୁଥିବାବେଳେ ଚଢ଼ା ଦାମରେ କୋଇଲା କିଣି ନିଆଁ ଆଞ୍ଚ ଲଗାଇ କାମ କଲେ ମଜୁରୀ ଅପେକ୍ଷା ଖର୍ଚ୍ଚ ଅଧିକା ହେଉଛି । କେବଳ କୁଳ ବେଉସା ବଞ୍ଚାଇ ରଖିବା ପାଇଁ ସେ ଏହି କାମ କରୁଥିବା କହିଛନ୍ତି ।   ସରକାରଙ୍କ ତରଫରୁ କିଛି ପ୍ରୋତ୍ସାହନ ମିଳିଲେ, ଏହି କାରିଗରି ବଂଚିରହିପାରନ୍ତା ।