କନକ ବ୍ୟୁରୋ: ସୁଭଦ୍ରା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବା ସମୟ । ଗଣମାଧ୍ୟମରେ ଖବର ବାଜିବା ପରେ ବଦଳିଛି ସମୟ । ହିତାଧିକାରୀଙ୍କୁ ଅଧିକ ସମୟ ଦେବାପାଇଁ ଦିନ ୧୦ଟା ବଦଳରେ ସାଢେ ୮ଟାରେ ଆଜି ବ୍ୟାଙ୍କ ଖୋଲିଛି । କେୱାଇସି ଅପଡେଟ ପାଇଁ ହେଉଥିବା ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶୀଘ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।
ଗଜପତି ଜିଲ୍ଲା ମୋହନା ଷ୍ଟେଟବ୍ୟାଙ୍କରେ ସବୁଦିନ ଦେଖିବାକୁ ମିଳୁଛି ଏଭଳି ଭିଡ଼ । ଏହି ଅଞ୍ଚଳର ଅଧିକାଂଶ ଗ୍ରାମ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ରହିଥିବା ହେତୁ ସୁଭଦ୍ରା ଟଙ୍କା ପାଇବା ସେମାନଙ୍କ ପାଇଁ ବହୁତ ସମସ୍ୟାର ସାମନା କରିବାକୁ ପଡ଼ୁଛି । ଦୂରଦୂରାନ୍ତରୁ ଶହ ଶହ ମହିଳା ସକାଳ ୭ ଟାରୁ ଆସି ବ୍ୟାଙ୍କ ସାମ୍ନାରେ ଲମ୍ବା ଧାଡିରେ ଛିଡା ହୋଇ ରହିଛନ୍ତି । ବ୍ୟାଙ୍କ ଜମା ଖାତା ସହ ଆଧାର ଓ ମୋବାଇଲ ନମ୍ବର ଲିଙ୍କ ହୋଇ ନଥିବାରୁ ଏଯାଏଁ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ଅନେକ ହିତାଧିକାରୀ।