କନକ ବ୍ୟୁରୋ : ବ୍ୟାଙ୍କ ଜାଲିଆତିର ଶିକାର ହେଲେ ମିଲର । ମିଛ ଗ୍ୟାରେଣ୍ଟି ଦେଇ ଠକିଦେଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ଗଞ୍ଜାମର ୨ ରାଇସ୍ ମିଲରେ ସରକାରୀ ଧାନ କିଣାବିକା ଉପରେ ରୋକ ଲାଗିଛି । ସୋରଡ଼ା ବ୍ଳକ ବିଜୟ ଲକ୍ଷ୍ମୀ ରାଇସ୍‌ ମିଲ୍‌ ଓ ଧରାକୋଟ ଢଉଗାଁ ଗଣେଷ ରାଇସ୍‌ ମିଲ୍‌କୁ ବାରଣ କରାଯାଇଛି । ଏମାନେ ଦେଇଥିବା ବ୍ୟାଙ୍କ ଗ୍ୟାରେଣ୍ଟି ନକଲି ବୋଲି ରାଜ୍ୟ ଯୋଗାଣ ବିଭାଗ ଦର୍ଶାଇଛି । ନିଜର ସମ୍ପତ୍ତି ବନ୍ଧା ପକାଇ ଫିକ୍ସ ଡିପୋଜିଟ୍ ଦେଇ କରୁର ବୈଶ୍ୟ ବ୍ୟାଙ୍କରୁ ୯୦ ଲକ୍ଷ ଓ ୧କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ନେଇଥିଲେ ଏହି ଦୁଇ ମିଲର୍‌ । କିନ୍ତୁ ବ୍ୟାଙ୍କ ଶାଖା ପରିଚାଳକ ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିବା ଜଣାପଡିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମିଲର୍‌ ।
 
ବ୍ୟାଙ୍କ ମେଲ୍ ଆଇଡିରେ ଫେବ୍ରୁଆରୀ ୩ରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦୁଇ ମିଲରଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି ପଠାଇଥିଲେ ଶାଖା ପରିଚାଳକ ସୁର୍‌ଜିତ୍‌ ମିଶ୍ର। ସେହି ଗ୍ୟାରେଣ୍ଟିକୁ ବୈଶ୍ୟ ବ୍ୟାଙ୍କର କୋଲକାତା ଡିଭିଜନ୍ ଅଫିସକୁ ପଠାଇଥିଲା ଯୋଗାଣ ବିଭାଗ । ଏହାପରେ ସାମ୍ନାକୁ ଆସିଲା ସତ। ଗଞ୍ଜାମର କୌଣସି ମିଲର୍‌କୁ ବ୍ୟାଙ୍କ ଗ୍ୟାରେଣ୍ଟି ଦିଆଯାଇନଥିବା ସ୍ପଷ୍ଟ କରିଛି କୋଲକାତା ଜିଭିଜନ୍ ଅଫିସ୍‌ । ମିଛ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିବା ମ୍ୟାନେଜରଙ୍କୁ ନିଲମ୍ବିତ କରାଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ତଦନ୍ତ କରି ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିବା ବେଳେ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନଦିଆଯାଇ ଦୋଷ ଲୁଚାଇବାକୁ ଉଦ୍ୟମ କରାଯାଉଛି ।  
 

Advertisment