କନକ ବ୍ୟୁରୋ : ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଲା ବ୍ୟାଙ୍କ ରୁଣ ନସୁଝିବା । ଲୋନ ଇଏମଆଇ ନଦେବାରୁ ମାଡ଼ି ବସିଲା ଏନଫୋର୍ସମେଟ ଟିମ୍ । ସିଜ ହେଲା ବାସଗୃହ ସହ ବ୍ୟବସାୟ କେନ୍ଦ୍ର । କୋରାପୁଟ ଜିଲ୍ଲା ଜୟପୁର ସହରରୁ ଆସିଛି ଏଭଳି ଅଭିଯୋଗ ।
ଜୟପୁର ସହରର ଗଣେଶ ବେହେରା । ୨୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଲକ୍ଷ୍ମୀ ମର୍ଟର୍ସର ମାଲିକ । ଏହି ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି ବ୍ୟାଙ୍କ ଋଣ ପୈଠକ ନକରିବା । ଟଙ୍କା ନପାଇ, ବ୍ୟବସାୟୀଙ୍କ ବାସଗୃହ ସହ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ପକାଇ ଜଉମୁଦ୍ଦ ଦେଇଛି ଏନଫୋର୍ସମେଟଂ ଟିମ । ଗଣେଶ ୟୁନିୟନ ବ୍ୟାଙ୍କରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ସାଢ଼େ ୪ କୋଟି ଟଙ୍କାର ଋଣ ନେଇଛନ୍ତି । ଟଙ୍କା ପୈଠ ପାଇଁ ବାରମ୍ବାର ନୋଟିସ୍ କରିବା ପରେ ବି କର୍ଣ୍ଣପାତ କଲେ ନାହିଁ । ଶେଷରେ ତହସିଲଦାର ଓ ପୁଲିସ ଉପସ୍ଥିତିରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।
ବାସଭବନରୁ ପୁଲିସ ସବୁ ସାମଗ୍ରୀ କାଢ଼ି ଦେଇଛି । ପରିବାର ଲୋକଙ୍କ ସାମ୍ନାରେ ଗୋଟି ଗୋଟି କରି ଘରୁ ସବୁ ବାହାର କରାଯାଇଛି । ସେପଟେ ଗଣେଶଙ୍କ ଭାଇ କହିଛନ୍ତି, ଋଣ ପରିଶୋଧ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ସମୟ ଦେଲେ ନାହିଁ । କରୋନା କାଳରେ ଋଣ ଭାର ଅଧିକ ହୋଇଯାଇଥିଲା । ଯାହାକୁ ସୁଝିବା କଷ୍ଟକର ହୋଇଛି ।
ବ୍ୟାଙ୍କ ଋଣ ପାଇଁ ସମସ୍ତେ ବ୍ୟାଙ୍କକୁ ଦଉଡୁଛନ୍ତି । ହେଲେ ରୁଣ ଖିଲାପି ହେଲେ ଗ୍ରାହକଙ୍କୁ କିପରି ଦଶା ଭୋଗିବାକୁ ପଡ଼େ, ତାହା ଗଣେଶଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।