କନକ ବ୍ୟୁରୋ : ନକଲି ସୁନା ବନ୍ଧକ ରଖି ବ୍ୟାଙ୍କରୁ ଲୁଟୁଥିଲେ ଋଣ ଟଙ୍କା । ଏପରି ଅଭିନବ ଚୋରଙ୍କୁ ଆଜି ଗିରଫ କରିଛି ବ୍ରହ୍ମପୁର ପୁଲିସ । ସେମାନେ ହେଲେ ବାଲେଶ୍ୱର ଅଞ୍ଚଳର ବିଶ୍ୱଜିତ କର ଓ ଏସ.କେ ମନଜୁର ଏବଂ ଉତ୍ତର ପ୍ରଦେଶର ଅଭିନବ ଶ୍ରୀବାସ୍ତବ । ସେମାନଙ୍କଠାରୁ ୧୭୫ ଗ୍ରାମର ନକଲି ସୁନା ଜବତ କରାଯାଇଛି । ୨ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା ବେଳେ ଜଣଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ମନଜୁର ପୂରା ଘଟଣାର ମାଷ୍ଟରମାଇଣ୍ଡ ବୋଲି ଜଣା ପଡ଼ିଛି । ଏମାନେ ହିଞ୍ଜିଳି ଅଞ୍ଚଳର ପି.ପୁରୁଷୋତ୍ତମଙ୍କୁ ମୋହରା କରି ତାଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୨୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।