କନକ ବ୍ୟୁରୋ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ ବୋଲି କୁହାଯାଏ । କିନ୍ତୁ ଜାରକା ଷ୍ଟେଟ୍‌ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଚିନ୍ତାଜନକ । ସ୍ଥିତି ଏମିତି ହୋଇଛି ମାମଲା ଥାନାରେ ପହଁଚିଛି । ଅଭିଯୋଗ ଅନୁସାରେ, ସମରେନ୍ଦ୍ର ବରାଳ ନାମକ ଗ୍ରାହକ ଜାରକା ଷ୍ଟେଟ ବ୍ୟାଙ୍କକୁ ନିଜ ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ ପାଇଁ ଯାଇଥିବା ସମୟରେ ବ୍ୟାଙ୍କ୍‌ ରେ କାର୍ଯ୍ୟରତ କିରାଣୀଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା । ଆଉ ସେହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରିବାରୁ ବ୍ୟାଙ୍କ ମ୍ୟାନେଜରଙ୍କ ଆକ୍ରୋଶର ଶିକାର ହୋଇଥିଲେ । ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଧକ୍କା ମାରି ଚାମ୍ବରରେ ଦୀର୍ଘ ସମୟ ବସାଇଥିଲେ । ଏନେଇ ସମରେନ୍ଦ୍ରଙ୍କ ଭାଇ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜର ଓ କିରାଣୀଙ୍କ ବିରୁଦ୍ଧରେ ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି ।

Advertisment

ଦୀର୍ଘ ୩ବର୍ଷ ହେବ ଜାରକା ଷ୍ଟେଟ୍‌ ବ୍ୟାଙ୍କ୍‌ରେ ମହିଳା ମ୍ୟାନେଜରଙ୍କ ଦାଦାଗିରି ବାବଦରେ ଅଭିଯୋଗ ହୋଇ ଆସୁଛି। ସେ ବାରମ୍ବାର ଗ୍ରାହକଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଆଉ କିଛି ଗ୍ରାହକ ବି ଅଭିଯୋଗ କରିଛନ୍ତି । ଲୋକଙ୍କ କହିବା କଥା ବ୍ୟାଙ୍କ ଅଧିନରେ ଥିବା ଏକାଧିକ ଏଟିଏମ୍‌ କାମ କରୁନି । ଏସବୁ ସମସ୍ୟା ପ୍ରତି ନଜର ନଦେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଓଲଟି ଗ୍ରାହକଙ୍କୁ ଗାଳିଗୁଲଜ କରୁଛନ୍ତି । ଅନ୍ୟପଟେ ପାଲଟା ଅଭିଯୋଗ କରିଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ । ତେବେ ଘଟଣାର ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ସୂଚନା ଦେଇଛନ୍ତି ଧର୍ମଶାଳା ଥାନା ଅଧିକାରୀ ।