କନକ ବ୍ୟୁରୋ: ଚିର ମରୁଡି ପ୍ରପଡିତ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ । ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ମାତ୍ର ୩ ପ୍ରତିଶତ ଅଛି । ଏଭଳି ପରିସ୍ଥିତିରେ ବଙ୍ଗୋମୁଣ୍ଡା ବ୍ଲକରେ ଲୋୟର ଇନ୍ଦ୍ର ପ୍ରକଳ୍ପ ଚାଷୀଙ୍କ ମନରେ ଉତ୍ସାହ ଭରିଦେଲା । ଏ ଅଞ୍ଚଳର ଲୋକ କେନାଲ ପାଣି ପାଇବେ ଓ ମରୁଡିରୁ ବଞ୍ଚିତ ହେବେ। କେନାଲ ବି ହେଲା କିନ୍ତୁ ବ୍ଲକର ୪ଟି ପଞ୍ଚାୟତ ଏହି ଲୋୟର ଇନ୍ଦ୍ର ପ୍ରକଳ୍ପର କେନାଲରୁ ବଞ୍ଚିତ ହୋଇଛନ୍ତି । ଏବେ ଏହି ଅଞ୍ଚଳର ହଜାର ହଜାର ଚାଷୀ ଚାତକ ପରି ଅନେଇ ବସିଛନ୍ତି କେବେ ପାଇବେ କେନାଲ ପାଣି ।

ବଙ୍ଗୋମୁଣ୍ଡା ବ୍ଲକରେ ୨୨ଟି ପଞ୍ଚାୟତକୁ ଲମ୍ୱିଛି ଲୋୟର ଇନ୍ଦ୍ର ପ୍ରକଳ୍ପର କେନାଲ । ହେଲେ ବ୍ଲକର ଉପାନ୍ତ ୪ଟି ପଞ୍ଚାୟତ ଜାମଖୁଣ୍ଟା, ଚାନ୍ଦୋତରା, ଗନ୍ଧର୍ଲା ଓ ଭୁର୍ଷାଗୁଡାକୁ ପହଞ୍ଚି ପାରିନି କେନାଲ । ଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜଳସେଚନ ସୁବିଧା ନଥିବାରୁ ପ୍ରତିବର୍ଷ ମରୁଡ଼ିର ସାମ୍ନା କରିବାକୁ ପଡ଼େ । କେନାଲ ପାଣି ପାଇଲେ ମରୁଡିରୁ ମୁକ୍ତି ମିଳିବ ଆଶା ରଖିଥିଲେ । ହେଲେ ସେ ଆଶା ଆଶାରେ ରହିଯାଇଛି । ଚାଷ ଛାଡ଼ି ଯୁବକ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି ।

ଚାଷୀଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ ଏ ସବୁ ଅଞ୍ଚଳରେ ଲୋୟର ଇନ୍ଦ୍ର ପ୍ରକଳ୍ପ ପାଣି ପହଞ୍ଚି ପାରୁନି । ନିଜ ସମସ୍ୟାକୁ ନେଇ ହଜାର ହଜାର ଚାଷୀ ଧାରଣା, ଆନ୍ଦୋଳନ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଜାଣିଛନ୍ତି । ହେଲେ ଆଜି ଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି  ।

ଚାଷ ଓ ଚାଷୀଙ୍କ ଉନ୍ନତି ହେଲେ ଦେଶର ଆର୍ଥିକ ମେରୁଦଣ୍ଡ ସୁଦୃଢ ହେବ । ହେଲେ ଅନେକାଂଶରେ କିଛି ଅବହେଳା ପାଇଁ ବର୍ଷବର୍ଷ ଧରି ଚାଷୀ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି । ବଙ୍ଗୋମୁଣ୍ଡା ୪ଟି ପଂଚାୟତ ତାର ଏକ ଉଦାହରଣ ।