କନକବ୍ୟୁରୋ : କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଦୁଇଜଣ ଦଲାଲକୁ ଭୁବନେଶ୍ୱରରୁ ଉଠାଇ ନେଇଛି ପୁଲିସ । ଲକ୍ଷ୍ମୀସାଗର ଥାନା ଅଂଚଳରୁ ଏମାନଙ୍କୁ କଟକ ଆଣିଛି ପୁଲିସ । ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଏମାନଙ୍କୁ ପଚରାଉଚରା କରାଯାଉଛି । ଉଦ୍ଧାର ହୋଇଥିବା ବାଂଲାଦେଶୀ ନାବାଳିକା ପୁଲିସ ଆଗରେ ଏହି ଦୁଇ ଯୁବକଙ୍କ ନାଁ କହିଥିଲା । ନାବାଳିକାଙ୍କୁ କୋଲକାତାରୁ ଭୁବନେଶ୍ୱର ଆଣିବାରେ ଏମାନଙ୍କ ସଂପୃକ୍ତି ରହିଥିବା ଜଣାଇଛି ।
କଟକରେ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାରେ ଦଲାଲ ଦମ୍ପତି ଗିରଫ ପରେ ପୁଲିସ ବଡ଼ ଧରଣର ରେଡ୍ କରିଥିଲା । ଭୁବନେଶ୍ବରରେ ଦଲାଲ ଥିବା ନେଇ ସୂଚନା ଆଧାରରେ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଛି ପୁଲିସ । ସେପଟେ କିପରି ସୀମା ପାର ହୋଇ ବାଂଲାଦେଶରୁ ଓଡ଼ିଶା ଆସିଲେ ଯୁବତୀ ଓ ନାବାଳିକା, ତା’ର ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି। ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାରେ ପୂର୍ବରୁ ଦଲାଲ ଦମ୍ପତି ଗିରଫ ହୋଇସାରିଛନ୍ତି ।
ମାଜିଷ୍ଟ୍ରେଟଙ୍କ ପାଖରେ ବାଂଲାଦେଶୀ ନାବାଳିକାଙ୍କ ବୟାନ ରେକର୍ଡ ବେଳେ, ଅନେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତରେ ଲାଗିଛି । କେମିତି କଟକ ଆସିଲେ ଏବଂ କାହା ଇସାରାରେ ଏପରି କାର୍ଯ୍ୟରେ ଲିପ୍ତ ଥିଲେ, ସେସବୁ କଥା ମାଜିଷ୍ଟ୍ରେଟଙ୍କ ଆଗରେ କହିଛନ୍ତି ନାବାଳିକା। ଏହାସହ ଦେହ ବ୍ୟବସାୟ ଡିଲ୍ ପାଇଁ ଦଲାଲମାନେ ପରସ୍ପର ସହ ଆଇଏମଓ ଆପରେ କଥାବର୍ତ୍ତା ହେଉଥିବା ଜଣାପଡ଼ିଛି ।