କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବାଂଲାଦେଶ ରାଜନୀତି । ହସିନାଙ୍କ ସରକାର ଯିବା ପରେ ଏବେ ପାଠ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି ବାଂଲା ସରକାର । ରାଷ୍ଟ୍ରୀୟ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ବୋର୍ଡ ପକ୍ଷରୁ କୁହାଯାଇଛି କି, ଆଗାମୀ ବର୍ଷ ପିଲାମାନେ ଯେଉଁ ପାଠ ପଢିବେ ସେଥିରୁ ଶେଖ ହସିନାଙ୍କ ସମ୍ପର୍କରେ କିଛି ଉଲ୍ଲେଖ ରହିବନି । ଏମିତିକି ପୂର୍ବ ସରକାରଙ୍କ କାଳରେ ଐତିହାସିକ କଥାକୁ ଯେଉଁପରି ଭାବରେ ବଢେଇ ଚଢେଇ କୁହାଯାଇଛି ସେଥିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି । କିନ୍ତୁ ବାଂଲାର ବର୍ତ୍ତମାନ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଜୋର ଧରିଛି ।

Advertisment


ଅଗଷ୍ଟରେ ବାଂଲାରେ ଭୟଙ୍କର ଭାବରେ ହିଂସା ବଢିଥିଲା । ଏମିତିକି ସଂରକ୍ଷଣକୁ ନେଇ ସେଠାରେ ନିଆଁ ଜଳିଥିଲା । ହିନ୍ଦୁଙ୍କ ଉପରେ ଆକ୍ରମଣ ବି ବଢିଥିଲା । ଏମିତି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ହିଂସାକୁ ପ୍ରତିହତ କରିବାରେ ଫେଲ ମାରିଥିଲେ । ସ୍ଥିତି ଏମିତି ହୋଇଥିଲା ବାଂଲାର ସେନା ପିଏମଙ୍କୁ କିଛି ସମୟ ଦେଇଥିଲା । ଦେଶର ଉତ୍କଟ ସ୍ଥିତିରେ ଦେଶ ଛାଡ଼ି ବାୟୁସେନାର ସ୍ବତନ୍ତ୍ର ବିମାନରେ ଭାରତ ପଳାଇ ଆସିଥିଲେ ହସିନା । ପରେ ପରେ ବାଂଲାକୁ ନେଇ ଯେଉଁ ବୟାନ ରଖିଥିଲେ ତାହାକୁ ଏବେର ସରକାର ନାପସନ୍ଦ କରିବା ସହିତ ହସିନାଙ୍କ ଏବଂ ତାଙ୍କ ଦଳ ନାଁରେ ମକଦ୍ଦମା ରୁଜୁ କରିଥିଲା । ଏବେ ବାଂଲା ସରକାରଙ୍କ ପକ୍ଷରୁ ଭାରତ ବିଦେଶ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇ ହସିନାଙ୍କୁ ବାଂଲାଦେଶ ଫେରାଇବାକୁ ନିବେଦନ ବି କରାଯାଇଛି । ଏହାରି ଭିତରେ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବାକୁ ସ୍ଥାନୀୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନସିଟିବି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚତୁର୍ଥରୁ ପଞ୍ଚମ ଏବଂ ଷଷ୍ଠରୁ ନବମ ପର୍ଯ୍ୟନ୍ତ ଶ୍ରେଣୀର ପୁସ୍ତକ ବଦଳାଯିବ । କିନ୍ତୁ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ । 

ବହିରୁ ହଟିବ ହସିନାଙ୍କ ବୟାନ

ବାଂଲାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଯେଉଁ ବୟାନ ଦେଇଥିଲେ ତାହାକୁ ଆଗାମୀ ଶିକ୍ଷାନୀତିରୁ ହଟାଇଦିଆଯିବ । କାରଣ  ପୂର୍ବରୁ ପିଲାମାନେ ପଢୁଥିବା ବହିରେ ହସିନାଙ୍କ ବୟାନ ଓ ବିଭିନ୍ନ ଘୋଷଣା ସମ୍ପର୍କରେ ପିଲାଏ ପଢୁଥିଲେ । ଏମିତିକି ବାଂଲାର ନାୟକ ବୋଲି ହସିନାଙ୍କୁ ବିବେଚନା କରାଯାଇଥିଲା । ଯାହା ଏବେ ହଟାଇ ଦିଆଯିବ । 

ପ୍ରତି ବହିର ବଦଳିବ କଭର ପେଜ୍‌

ସରକାରଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, କେବଳ ବହିର ବିଷୟବସ୍ତୁ ପରିବର୍ତ୍ତନ ହେବ ତାହା ନୁହେଁ ବରଂ ବହିର ମଲାଟରେ ବି ପରିବର୍ତ୍ତନ ହେବ । ସେପଟେ ଛାତ୍ର ଅଶାନ୍ତିଙ୍କ ଦୃଷ୍ଟିରେ ରଖି ନୂଆ କମିଟି କହିଛି, ଦେଶର ବିଭିନ୍ନ ଆଇନ ଓ ସମ୍ୱିଧାନକୁ ବହିର ମଲାଟରେ ରଖିଯାଇପାରେ । ସରକାରଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ନିଶ୍ଚୟ ପିଲାମାନେ ବୁଝିବେ ଏବଂ କୌଣସି ପ୍ରକାର ଅଶାନ୍ତି ସୃଷ୍ଟି ହୋଇନପାରେ ବୋଲି କମିଟି କହିଛି । ଏଠାରେ କହିରଖୁଛୁ କି, ୨୦୨୨ରେ ତତ୍କାଳୀନ ସରକାର ପାଠ୍ୟପୁସ୍ତକ ତିଆରି କରିଥିଲେ । ଯେଉଁଥିରେ ହସିନାଙ୍କ ଯୋଜନା ସମ୍ପର୍କରେ ପିଲାଙ୍କୁ ପାଠପଠାଯିବା ସହିତ ଦେଶର ନାୟକ ବୋଲି ବିବେଚନ କରାଯାଉଥିଲା । ହେଲେ ହସିନାଙ୍କ ସରକାର ଯିବା ପରେ ଏବେ ନୂଆ ସରକାର ନୂଆ ପାଠ୍ୟକ୍ରମ ତିଆରି କରୁଛି । ଏନେଇ କିନ୍ତୁ ହସିନା କିମ୍ୱା ତାଙ୍କର ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।