କନକ ବ୍ୟୁରୋ: ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ ବୋଲି ନିଜ ନିଷ୍ପତ୍ତିରେ ଅଟଳ ରହିଛି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)। ତେବେ ନିଜର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦକ (ଆଇସିସି) ପୁଣି ଥରେ ବିସିବିକୁ ନିବେଦନ କରିଛି ।
ବାଂଲାଦେଶ ଦଳର ଭାରତ ଗସ୍ତ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର କରିବାକୁ ଆଜି ବିସିବି ଓ ଆଇସିସି ମଧ୍ୟରେ ଭିଡିଓ କନଫରେନ୍ସିଂରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିସିବି ନିଜ ନିଷ୍ପତ୍ତିରେ ଅଟଳ ରହିଥିବାବେଳେ ମ୍ୟାଚ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି ଆଇସିସି ଜଣାଇଛି । ତେବେ ଏହି ଅଚଳାବସ୍ଥା ଦୂର ପାଇଁ ଆଲୋଚନା ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଗତକାଲି ବାଂଲାଦେଶର କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲ କହିଥିଲେ ଯେ ଭାରତରେ ବାଂଲାଦେଶ ଖେଳାଳିଙ୍କ ପ୍ରତି ବିପଦ ରହିଥିବା ଆଇସିସି ନିଜର ଏକ ଆକଳନରେ ସ୍ୱୀକାର କରିଛି । କିନ୍ତୁ ଏପରି କୌଣସି ଆକଳନ ହୋଇନଥିବା ଉଲ୍ଲେଖ କରି ଆଇସିସି ତୁରନ୍ତ ନଜରୁଲଙ୍କ ବୟାନକୁ ଖଣ୍ଡନ କରିଥିଲା । ଆଇସିସିର ଏହି ଖଣ୍ଡନ ପରେ ବାଂଲାଦେଶର ମିଛ ପଦାରେ ପଡ଼ିଯାଇଥିଲା ।
ସୂଚନାଯୋଗ୍ୟ ଯେ ଆସନ୍ତା ଫେବ୍ରୁଆରି ୭ରୁ ଟ୍ବେଣ୍ଟି-୨୦ ବିଶ୍ବକପ ଆରମ୍ଭ ହେଉଛି । ପ୍ରଥମ ଦିନରେ ହିଁ ବାଂଲାଦେଶ କୋଲକାତାର ଇଡେନ ଗାଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜକୁ ଭେଟିବ । ବାଂଲାଦେଶର ନିଜର ଲିଗ ପର୍ଯ୍ୟାୟର ପ୍ରଥମ ୩ଟି ମ୍ୟାଚ୍ କୋଲକାତାରେ ଖେଳିବ ଓ ଶେଷ ଲିଗ ମ୍ୟାଚ ମୁମ୍ବାଇରେ ନେପାଳ ବିପକ୍ଷରେ ଖେଳିବ ।
Follow Us