କନକ ବ୍ୟୁରୋ: ଆଇପିଏଲ ୨୦୨୫ ପାଇଁ ସରିଛି ମେଗା ଅକ୍ସନ । ମୋଟ ୧୫୭୪ ଖେଳାଳି ଏହି ଅକ୍ସନରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ୧୧୬୫ ଭାରତୀୟ ଓ ୪୦୯ ବିଦେଶୀ ଖେଳାଳି ସାମିଲ ଥିଲେ । ୧୦ ଟିମ ମୋଟ ୬୩୯. ୧୫ କୋଟି ଟଙ୍କା ଖର୍ଚ୍ଚ କରି ୧୮୨ ଖେଳାଳିଙ୍କୁ କିଣିଛନ୍ତି । ଖେଳାଳି କିଣା ପରେ ନିଜ ନିଜ ଟିମକୁ ମଜବୁତ କରିଛନ୍ତି ଫ୍ରାଞ୍ଚାଇଜ । ତେବେ ସବୁଠାରୁ ବଡ କଥା ହେଉଛି ଏହି ମେଗା ଅକ୍ସନରେ ଏଥର କୌଣସି ବି ଫ୍ରାଞ୍ଚାଇଜ ବାଂଲାଦେଶ ଖେଳାଳିଙ୍କୁ କିଣିନାହାନ୍ତି । ଅକ୍ସନରେ ବାଂଲାଦେଶର ୧୨ ଜଣ ଖେଳାଳି ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ନାଁ ନିଲାମରେ ଡକାଯାଇଥିଲା ହେଲେ ସେମାନେ ଅନସୋଲ୍ଡ ରହିଥିଲେ । ଅନ୍ୟ ଖେଳାଳିଙ୍କ ନାଁ ନିଲାମ ଯାଏଁ ବି ଆସିନଥିଲା । 

Advertisment

ଏମିତି ଚର୍ଚ୍ଚା ହେଉଛି କି ବାଂଲାଦେଶକୁ ସାଇଡଲାଇନ କରିଦିଆଯାଇଛି । ବାଂଲାଦେଶରେ ସରକାର ବଦଳିବା ପରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ଘଟଣା ସାମ୍ନାକୁ ଆସିଥିଲା । ହିନ୍ଦୁ ମହିଳାଙ୍କୁ ବାଂଲାଦେଶରେ ନିର୍ଯାତନାର ଶିକାର ହେବାକୁ ପଡିଥିଲା । ନିକଟରେ ବାଂଲାଦେଶରେ ହିନ୍ଦୁ ପୂଜାରୀ ଓ ଇସ୍କନର ପୂର୍ବତନ ପ୍ରମୁଖ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗିରଫ କରାଯାଇଥିଲା । ଯେଉଁଥିପାଇଁ ବିବାଦ ଆହୁରି ଉଗ୍ର ରୂପ ନେଇଥିଲା ।  

ଆଉ ଏହାରି ଭିତରେ ଆରମ୍ଭ ହୋଇଥିଲା ଆଇପିଏଲ ମେଗା ଅକ୍ସନ । ଯେଉଁଥିରେ ୧୨ ବାଂଲାଦେଶୀ ଖେଳାଳିଙ୍କୁ ସର୍ଟଲିଷ୍ଟ କରାଯାଇଥିଲା । ଏଥିରେ ମୁସ୍ତାଫିଜୁର ରେହମାନ ଓ ରିସାଦ ହୁସେନଙ୍କ ନାଁ ନିଲାମୀରେ ଆସିଥିଲା, ହେଲେ ତାଙ୍କୁ କେହି ବି କିଣିନଥିଲେ । ବାକି ୧୦ ଖେଳାଳିଙ୍କ ମଧ୍ୟରେ ଲିଟନ ଦାସ, ତସ୍କିନ ଅହମ୍ମଦ, ସାକିବ ଅଲ ହାସନ, ମେହଦୀ ହାସନ ମିରାଜ, ସୋରିଫୁଲ ଇସ୍ତଲାମ ଓ ତଞ୍ଜନ ହସନ ସକିବଙ୍କ ଭଳି ଖେଳାଳି ସାମିଲ ଥିଲେ । ହେଲେ ଏମାନଙ୍କ ମଧ୍ୟରେ କାହାରି ନାଁ ନିଲାମ ଯାଏଁ ପହଞ୍ଚିପାରିନଥିଲା । 

ଏକ ପ୍ରକାର କହିପାରିବା କି ପାକିସ୍ତାନ ପରେ ବାଂଲାଦେଶ ଖେଳାଳି ଆଇପିଏଲରୁ ସାଇଡଲାଇନ ହେଉଛନ୍ତି । ଚର୍ଚ୍ଚା ହେଉଛି କି ଆଇପିଏଲରେ ବାଂଲାଦେଶ ଖେଳାଳିଙ୍କୁ କୌଣସି ଫ୍ରାଞ୍ଚାଇଜ ନକିଣିବାର କାରଣ ହେଉଛି ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର । ଯଦି ଏପରି ଜାରି ରହିବ ତେବେ ଭବିଷ୍ୟତରେ ବାଂଲାଦେଶ ଖେଳାଳିଙ୍କ ପାଇଁ ଆଇପିଏଲ ରାସ୍ତା ବନ୍ଦ ହୋଇଯିବ । 

୨୦୦୮ ଆଇପିଏଲର ପ୍ରଥମ ସିଜିନରେ ପାକିସ୍ତାନର ୧୧ ଜଣ ଖେଳାଳି ସାମିଲ ହୋଇଥିଲେ । ୨୦୦୮ ପରେ ଭାରତ ପାକିସ୍ତାନ ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳିଥିଲା । ରାଜନୈତିକ ବିବାଦ ଭିତରେ ପାକିସ୍ତାନ ଖେଳାଳିଙ୍କୁ ଆଇପିଏଲ ଖେଳିବାକୁ ସୁଯୋଗ ମିଳିନଥିଲା । ତେଣୁ ୨୦୦୮ ଆଇପିଏଲ ପିକାସ୍ତାନ ଖେଳାଳିଙ୍କ ପାଇଁ ପ୍ରଥମ ଓ ଶେଷ ଟୁର୍ଣ୍ଣାମେଣ୍ଟ ହୋଇଥିଲା ।