କନକ ବ୍ୟୁରୋ: ସୀମାକୁ ନେଇ ପୁଣି ଟେନସନ୍ରେ ଭାରତ । ବର୍ଷବର୍ଷ ଧରି ଚୀନ ଓ ପାକିସ୍ତାନ ସହ ସୀମା ବିବାଦ ଥିବା ବେଳେ ଏବେ ବାଂଲାଦେଶର ସୀମା ନୂଆ ଟେନସନ ଦେଲାଣି । ଖାଲି ଟେନସନ୍ ଦେଇଛନ୍ତି ତାହା ନୁହେଁ ବରଂ ବାଂଲାଦେଶରେ ଉପସ୍ଥିତ ଭାରତୀୟ ହାଇକମିଶନଙ୍କୁ ବାଂଲା ସରକାର ନୋଟିସ ଦେଇ ଡକାଇବା ସହ ଅନେକ ଆଲୋଚନା କରିଛନ୍ତି ସୀମାକୁ ନେଇ । କିନ୍ତୁ ହଠାତ୍ ସୀମାକୁ ନେଇ କାହିଁକି ବିବାଦ ଉଠିଲା ତାହା ଏବେ ଚର୍ଚ୍ଚାର କାରଣ ପାଲିଟିଲାଣି ।
ବାଜପେୟୀ କହିଥିଲେ
ସାଙ୍ଗ ବଦଳାଇଯାଇପାରେ ପଡ଼ୋଶୀ ନୁହେଁ
ଚୀନ, ପାକିସ୍ତାନ ପରେ ଏବେ ବାଂଲାଦେଶ
ସୀମରେ ବଢିବାରେ ଲାଗିଛି ଟେନସନ୍
ନୂଆ ଚାଲ କଲାଣି ବାଂଲାଦେଶ । ଗତ କିଛିଦିନ ହେଲାଣି ଦେଶରେ ହିଂସା ଭୟଙ୍କର ଭାବରେ ବଢିଥିବା ବେଳେ ତାହାକୁ ପ୍ରଶମିତ କରିବା ବଦଳରେ ଏବେ ଭାରତ ସହ ସୀମା ବିବାଦ କରୁଛି । କଥା ହେଲା ଅନୁପ୍ରବେଶକାରୀଙ୍କୁ ରୋକିବାକୁ ଭାରତ ନିଜ ସୀମାରେ ବାଡ଼ ତିଆରି କରୁଛି । ଯାହାକୁ ବାଂଲା ସରକାର ସହଜରେ ଗ୍ରହଣ କରିପାରୁନାହାନ୍ତି । ସେଇଥି ଲାଗି ତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଭାରତର ହାଇକମିଶନଙ୍କୁ ନୋଟିସ କରି ଆଲୋଚନା ବି କରୁଛି । କିନ୍ତୁ ନିଜ ସୀମାରେ ଭାରତ ତିଆରି କରୁଥିବା ବାଡ଼ରେ ବାଂଲାଦେଶର କି ଅସୁବିଧା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ବେଳେ ହସିନାଙ୍କ ସରକାର ଯିବା ପରେ ଏବେ ବାଂଲାଦେଶ ଜାଣିଶୁଣି କେଁ ବାହାର କରୁଥିବା ସ୍ପଷ୍ଟ ହୋଇଛି ।
ବିବାଦ କାହିଁକି?
ବାଂଲାରେ ସଂଖ୍ୟାଲଘୁଙ୍କ ଉପରେ ଜୋରଦାର ଆକ୍ରମଣ ହୋଇଥିଲା । ପୁରା ଦେଶରେ ମାସମାସ ଅଶାନ୍ତି ସୃଷ୍ଟି ହୋଇଥିଲା । ଏହାକୁ ନେଇ ଜୋରଦାର ଚର୍ଚ୍ଚା ବି ହେଲା । ଶେଷରେ ହସିନାଙ୍କ ସରକାର ଭାଙ୍ଗିଲା ଏବଂ ନୋବେଲ ଶାନ୍ତି ବିଜେତା ୟୁନୁସଙ୍କ ଅନ୍ତରୀଣ ସରକାର ବାଂଲାର ଦାୟିତ୍ବ ନେଲା । ନୂଆ ସରକାର ଆସିବା ପରେ ବାଂଲା ସରକାର ଭାରତକୁ ବାରମ୍ୱାର ଚିଠି ଲେଖିବା ସହିତ ହସିନାଙ୍କୁ ଫେରାଇବାକୁ ଦାବି ଜୋର କରିଥିଲା । ଏନେଇ ଭାରତ ବି ଉତ୍ତର ରଖିଥିଲା । ଯେହେତୁ ବାଂଲା କଥାରେ ଭାରତ ଯାଉନି ତେଣୁ ଜାଣିଶୁଣି କେଁ ବାହାର କରାଯାଉଥିବା ଚର୍ଚ୍ଚା ହେବା ଭିତରେ ପାକିସ୍ତାନ ସହ ମିଠାମିଠା କଥା ବାଂଲା ଆରମ୍ଭ କରିଥିବା କୁହାଯାଉଛି ।
ପାକିସ୍ତାନ କଥାରେ ବସଉଠ ବାଂଲା ସରକାର
ବାଂଲାଦେଶକୁ ସ୍ବାଧୀନତା ଦେଇଥିବା ଦେଶ ହେଉଛି ଭାରତ । ହସିନାଙ୍କ ସମୟରେ ଭାରତ ସହ ବାଂଲାଦେଶର ଭଲ ସମ୍ପର୍କ ବି ଥିଲା । ଅନେକ ଥର ଭାରତ ବାଂଲାକୁ ଆର୍ଥିକ କ୍ଷେତ୍ରରେ ସହଯୋଗ ବି କରିଛି । କିନ୍ତୁ ହସିନା ଯିବା ପରେ ପାକିସ୍ତାନ କଥାରେ ଉଠବସ ହେଉଛି ବାଂଲା ସରକାର । ଏମିତିକି ଭିସା ନିୟମରେ କୋହଳ କରୁଛି ବାଂଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା ଉଗ୍ରପନ୍ଥୀଙ୍କ ପାଇଁ ବାଂଲା କୋହଳ ହେଉଥିବା ବେଳେ ସେଠାରେ ଚାଲିଥିଲା ହିନ୍ଦୁଙ୍କ ଉପରେ ଅତ୍ୟାଚାରରେ ପାକିସ୍ତାନ ସଂପୃକ୍ତ ବୋଲି କୁହାଯାଉଛି । ଯାହା ଏବେ ଭାରତର ଚିନ୍ତା ବଢାଇ ଦେଇଛି ।
କଣ କହୁଛି ବାଂଲାଦେଶ
ଭାରତ ନିଜ ସୀମାକୁ ସୁରକ୍ଷିତ କରିବାକୁ ଯାଉଛି । ନିଜ ସୀମାକୁ ସୁରକ୍ଷିତ ରଖିବାରେ କୌଣସି ଅସୁବିଧା ନାହିଁ । ହେଲେ ହାଇକମିଶନରଙ୍କୁ ଏନେଇ ନୋଟିସ ଜାରି କରିବା ସହିତ ବାଂଲା-ଭାରତ ମଧ୍ୟରେ ହୋଇଥିବା ଚୁକ୍ତିକୁ ଭାରତ ଉଲଙ୍ଘନ କରୁଥିବା ନେଇ ଅଭିଯୋଗି ବି କରିଛି । ଏଠାରେ କହିରଖୁଛୁ କି, ଭାରତ ପାଖାପାଖି ୫ ସ୍ଥାନରେ ନିଜର ସୀମାକୁ ମଜବୁତ କରୁଛି । ସେପଟେ ୪୫ ମିନିଟ୍ର ଆଲୋଚନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଂଲାରେ ଅବସ୍ଥାପିତ ହାଇକମିଶନର । କହିଛନ୍ତି, ଭାରତର ଏବେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୀମାରେ ସୁରକ୍ଷା ବଢାଇବା ଆମର ଅଧିକାର ।
କଥାହେଲା ସୀମାକୁ ନେଇ ଉଭୟ ଦେଶର ଅଧିକାରୀ ଆଲୋଚନା କରିଥିଲେ । ଏବଂ ଉଭୟଙ୍କ ସହମତିରେ ଭାରତ ବାଡ଼ ଦେଉଛି । କିନ୍ତୁ ଏହାପରେ ବି ଯେଉଁପରି ଢଙ୍ଗରେ ଭାରତ ବିରୋଧରେ ବାଂଲା ସେନା ଅଭିଯୋଗ ଆଣିଛି ଏବଂ ରକ୍ତଚାଉଳ ଚୋବାଉଛି ସେଥିରେ କୌଣସି ସତ୍ୟତା ନାହିଁ । ମୋଟ୍ ଉପରେ ପାକିସ୍ତାନ କଥାରେ ବାଂଲାଦେଶ ଜାଣିଶୁଣି ବିବାଦ ବଢାଉଥିଲା ସ୍ପଷ୍ଟ ହେଉଛି ।