କନକ ବ୍ୟୁରୋ : ଭାରତର ବୈଦେଶିକ ନୀତି ଦିନକୁ ଦିନ ଦୁର୍ବଳ ହେଉଛି । ଏକଥା ବାରମ୍ବାର ବିରୋଧୀ ଅଭିଯୋଗ କରୁଛନ୍ତି । ପାକିସ୍ତାନ ସହ ଭାରତର ସଂପର୍କ ପ୍ରଥମରୁ ଖରାପ ରହିଛି । ଆତଙ୍କବାଦୀମାନେ କାଶ୍ମୀରର ପହଲଗାମ ଆକ୍ରମଣ ପରେ ଭାରତର ବିଦେଶ ନୀତିକୁ ନେଇ ବିରୋଧୀ ପ୍ରଶ୍ନ ଉଠାଉଛନ୍ତି । ଯେଭଳି ଭାବେ ସିଧାସଳଖ ଚୀନ, ତୁର୍କୀ ଓ ବାଂଲାଦେଶ ପାକିସ୍ତାନକୁ ସମର୍ଥନ କଲେ ଓ ଆମେରିକା ଦୋମୁହାଁ ନୀତି ଆପଣାଇଲା ତାହା ବିରୋଧୀଙ୍କ ଅଭିଯୋଗକୁ ସତ ପ୍ରମାଣିତ କରୁଛି । ଏହି କ୍ରମରେ ବାଂଲାଦେଶ ପୁଣି ଏବେ ଏକ ବଡ଼ ପ୍ରସଙ୍ଗରେ ଭାରତକୁ ଚେତବନୀ ଦେଇଛି । ବାଂଲାଦେଶର ଗୃହ ମାମଲାର ପରାମାର୍ଶଦାତା ଅବସରପ୍ରାପ୍ତ ଜେନେରାଲ ମହମ୍ମଦ ଜାହାଙ୍ଗୀର ଆଲମ୍ ଚୌଧୁରୀ ଶନିବାର ଦିନ କହିଛନ୍ତି କି, ବାଂଲାଦେଶରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ଉଚିତ୍ ବୈଦେଶିକ ନୀତି ମୁତାବକ ଭାରତ ପଠାଇ ଦିଆଯିବ । ବାଂଲାଦେଶ ସମ୍ବାଦ ସଂସ୍ଥା ବା ବିଏସଏସ୍ ମୁତାବକ ଚୌଧୁରୀ ସତଖିରାରେ ତୃତୀୟ ଅସ୍ଥାୟୀ ସୀମା ଚୌକ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି । ସେ କହିଛନ୍ତି କି ଭାରତ ଭଳି ଚାପ ପକାଇବାରେ ସେମାନେ ବିଶ୍ୱାସ କରନ୍ତି ନାହିଁ, ବରଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ କରିବାରେ ବାଂଲାଦେଶ ବିଶ୍ୱାସ କରେ ।
ଚୌଧୁରୀ କହିଛନ୍ତି କି, ବାଂଲାଦେଶ ସର୍ବଦା ଅର୍ନ୍ତରାଷ୍ଟ୍ରୀୟ ଆଇନ ପାଳନ କରିଥାଏ । ଏହି ମାମଲାରେ ବାଂଲାଦେଶର ବିଦେଶ ମନ୍ତ୍ରଣାଳୟ ପ୍ରଥମରୁ ଭାରତକୁ ଚିଠି ଲେଖି ଜଣାଇ ଦେଇଛି । ଏହାସହ ସେ କହିଛନ୍ତି କି, ଯଦି କୌଣସି ବାଂଲାଦେଶର ନାଗରିକ ବେଆଇନ ଭାବେ ଭାରତରେ ରହୁଛନ୍ତି ତେବେ ସେମାନଙ୍କୁ ଉଚିତ୍ ମାଧ୍ୟମରେ ଭାରତ ସରକାର ବାଂଲାଦେଶ ପଠାଇ ଦିଅନ୍ତୁ ।
ସୂଚନା ଥାଉ କି, ବାଂଲାଦେଶ ତରଫରୁ ଏଭଳି ବୟାନ ଏପରି ସମୟରେ ଆସିଛି, ଯେତେବେଳେ ଭାରତ ସରକାର ବେଆଇନ ଭାବେ ଭାରତରେ ରହୁଥିବା ବାଂଲାଦେଶୀମାନଙ୍କୁ ବାଂଲାଦେଶ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି । ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ଭଳି ରାଜ୍ୟରେ ପୁଲିସ ବେଆଇନ ଭାବେ ରହୁଥିବା ପ୍ରବାସୀମାନଙ୍କୁ ଚିହ୍ନଟ କରିବା କାମ ଚଳାଇଛି । ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ପ୍ରବାସୀମାନଙ୍କ ମଧ୍ୟରୁ ଅଧିକାଂଶ ବାଂଲାଦେଶୀ । ଭାରତ ସରକାର ଉଚିତ୍ ପ୍ରକ୍ରିୟାରେ ସେମାନଙ୍କୁ ବାଂଲାଦେଶ ପଠାଉଛନ୍ତି ।