imran-masood Photograph: (KANAK NEWS)
କନକ ବ୍ୟୁରୋ: ବାଂଲାଦେଶରେ ଜଣେ ହିନ୍ଦୁଙ୍କୁ ପିଟି ପିଟି ହତ୍ୟା କରିବା ପରେ, ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି । ଏହି ଘଟଣା ରାଜନୀତିକୁ ମଧ୍ୟ ସରଗରମ କରିଛି । ବିଜେପି ଏହି ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଆଉ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ୍ କରିବାକୁ ପଛଘୁଞ୍ଚା ଦେଇନି ।
ବିଜେପିର କହିବା କଥା, ପ୍ରିୟଙ୍କା ଗାନ୍ଧୀ କେବଳ ଗାଜା ଉପରେ କଥା ହୁଅନ୍ତି । ହେଲେ ବାଂଲାଦେଶର ହିନ୍ଦୁମାନଙ୍କୁ କିନ୍ତୁ ଅଣଦେଖା କରନ୍ତି । ତେବେ ବିଜେପି ଏହି ପ୍ରସଙ୍ଗ ଉଠାଇବା ପରେ କଂଗ୍ରେସ ସାଂସଦ ଇମ୍ରାନ୍ ମାସୁଦ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ ହିଁ ଗତଥର ବାଂଲାଦେଶ ଭିତରେ କଣ ଘଟୁଥିଲା, ସେନେଇ ସବୁଠୁ ଅଧିକ ଥର ମୁହଁ ଖୋଲିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରନ୍ତୁ ଏବଂ ତା' ପରେ ଦେଖନ୍ତୁ ଠିକ୍ ଇନ୍ଦିରା ଗାନ୍ଧୀଙ୍କ ପରି ସେ କିପରି ପ୍ରତିକ୍ରିୟା ଦିଅନ୍ତି । ଇମ୍ରାନ ମାସୁଦ କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀ ପାକିସ୍ତାନକୁ ଦୁଇ ଭାଗ କରିଥିଲେ । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେମିତି ଜବାବ ଦେବେ । ପ୍ରିୟଙ୍କା ଗାନ୍ଧୀଙ୍କୁ ପିଏମ୍ କଲେ ସେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଯେ, ବାଂଲାଦେଶ ଭାରତ ବିରୋଧୀ ଅଡ୍ଡା ହୋଇପାରିବନି ।
ତେବେ କଂଗ୍ରେସ ସାଂସଦ ଏପରି କହିବା ପରେ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ, ଯଦି ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ରାହୁଲ ଗାନ୍ଧୀ କଣ କରିବେ ? ହେଲେ ସାମ୍ବାଦିକଙ୍କ ଏହି ପ୍ରଶ୍ନରେ କଂଗ୍ରେସ ସାଂସଦ ଇମ୍ରାନ ମାସୁଦଙ୍କ ସ୍ୱର କିନ୍ତୁ ବଦଳିଯାଇଥିଲା । ସେ କହିଥିଲେ, ରାହୁଲ ଗାନ୍ଧୀ ମଧ୍ୟ ସେମିତି କରିବେ। ସେ ଇନ୍ଦିରା ଗାନ୍ଧୀଙ୍କ ନାତି । ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଗୋଟିଏ ମୁହଁର ଦୁଇଟି ଆଖି। ସେମାନଙ୍କୁ ପୃଥକ ଭାବରେ ଦେଖାଯିବା ଉଚିତ୍ ନୁହେଁ ବୋଲି କହି ନିଜ କଥାରେ ନିଜେ ପ୍ୟାଚ୍ ପକାଇଥିଲେ କଂଗ୍ରେସ ସାଂସଦ । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
Follow Us