କନକ ବ୍ୟୁରୋ : ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ପ୍ରଫେସର ମହମ୍ମଦ ୟୁନୁସ୍ ପାକିସ୍ତାନ ସହ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରି ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ କେତେକ ପ୍ରତିବନ୍ଧକକୁ ଦୂର କରି ବାଣିଜ୍ୟ ଏବଂ ବ୍ୟବସାୟିକ ସମ୍ଭାବନାର ଅନୁସନ୍ଧାନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ପାକିସ୍ତାନ ବୈଦେଶିକ ସଚିବ ଆମନା ବଲୋଚ୍ କହିଛନ୍ତି, ଏଥିରେ କିଛି ପ୍ରତିବନ୍ଧକ ରହିଛି ଆଉ ଏହି ପ୍ରତିବନ୍ଧକକୁ ଦୂର କରି ଆଗକୁ ବଢ଼ିବା ପାଇଁ ଆମକୁ ଉପାୟ ଖୋଜିବାକୁ ପଡ଼ିବ । ଗତ ୧୫ ବର୍ଷ ମଧ୍ୟରେ ବାଂଲାଦେଶ ଗସ୍ତରେ ଆସିଥିବା ପ୍ରଥମ ପାକିସ୍ତାନୀ ବୈଦେଶିକ ସଚିବ ଆମନା ବଲୋଚ୍ ଅତୀତର ପ୍ରସଙ୍ଗକୁ ସ୍ୱୀକାର କରି କହିଛନ୍ତି, ବାଂଲାଦେଶ ଏବଂ ପାକିସ୍ତାନକୁ ଦୁଇ ଦେଶ ମଧ୍ୟରେ ଥିବା ସମ୍ଭାବନାକୁ ଉପଯୋଗ କରିବାର ଉପାୟ ଖୋଜିବାକୁ ପଡ଼ିବ । ବଲୋଚ୍ କହିଛନ୍ତି ,ଆମର ଅଧିକାର ଆଧାରରେ ଆମର ବିପୁଳ ଆନ୍ତଃବଜାର ସମ୍ଭାବନା ଅଛି ଏବଂ ଆମେ ଏହାର ଉପଯୋଗ କରିବା ଉଚିତ୍ । ଏପ୍ରିଲ ଶେଷରେ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ଇଶାକ ଦାରଙ୍କ ଆଗାମୀ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ପାକିସ୍ତାନ ବୈଦେଶିକ ସଚିବ ଆଶା ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ମୁର୍ଶିଦାବାଦ ଘଟଣାରେ ବାଂଲାଦେଶର ହାତ ରହିଛି ଜଣାପଡିଛି ଏହାରି ଭିତରେ ଆମନା ବାଲୋଚଙ୍କ ବାଂଲା ଗସ୍ତ ଅନେକ ପ୍ରଶ୍ନ ଉଠାଉଛି । କାରଣ ଆମନା ଭାରତ ବିରୋଧରେ ସର୍ବଦା ବିବାଦୀୟ ବୟାନ ଦେଇଥାନ୍ତି । ବଲୋଚ୍ ଭାରତ ଅଧିକୃତ କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ଉପରେ ଆଗରୁ ବୟାନ ମଧ୍ୟ ରଖିଥିଲେ ।
ଅନ୍ୟପଟେ ବୈଠକ ମଧ୍ୟରେ ବାଂଲାଦେଶ ପାକିସ୍ତାନକୁ ଇତିହାସର ପାଠ ପଢାଇ କହିଛି ,୧୯୭୧ ମୁକ୍ତି ଯୁଦ୍ଧ ସମୟରେ ପାକିସ୍ତାନ ସେନା ଦ୍ୱାରା କରାଯାଇଥିବା ଗଣହତ୍ୟା ଏବଂ ଅତ୍ୟାଚାର ପାଇଁ ବାଂଲାଦେଶ ପାକିସ୍ତାନଠାରୁ ଆନୁଷ୍ଠାନିକ କ୍ଷମା ପ୍ରାର୍ଥନା ଦାବି କରିଛି । ୧୫ ବର୍ଷ ପରେ ଅନୁଷ୍ଠିତ ବୈଦେଶିକ ସଚିବ ସ୍ତରୀୟ ଆଲୋଚନାରେ ବାଂଲାଦେଶ ଏହି ପ୍ରସଙ୍ଗକୁ ଜୋରଦାର ଭାବରେ ଉଠାଇଛି । ପାକିସ୍ତାନ ବୈଦେଶିକ ସଚିବ ଆମନା ବଲୋଚଙ୍କ ସହ ବୈଠକ ପରେ ବାଂଲାଦେଶ ବୈଦେଶିକ ସଚିବ କହିଛନ୍ତି, ୧୯୭୧ ମସିହାର ଅତ୍ୟାଚାର ପାଇଁ ପାକିସ୍ତାନଠାରୁ ସାର୍ବଜନୀନ କ୍ଷମା ମାଗିବା କଥା କହିଛୁ । ବୈଠକ ମଧ୍ୟରେ ପାକିସ୍ତାନ ବାଂଲାଦେଶ ଠାରୁ ଏପରି କଥା ଶୁଣିବ କେବେ ଆଶ କରିନଥିବ । ଅନ୍ୟପଟେ ମୁର୍ଶିଦାବାଦ ଘଟଣାରେ ବାଂଲାଦେଶକୁ ଜବାବ ଦେଇଛି ଭାରତ ଏବଂ ବାଂଲାଦେଶର ଦୋହରା ନୀତିର ପର୍ଦ୍ଦାଫାସ କରିଛି । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଉପରେ ବାଂଲାଦେଶର ମନ୍ତବ୍ୟକୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ପ୍ରତ୍ୟାଖ୍ୟାନ କରି କହିଛନ୍ତି , ଏହା ଭାରତ ଏବଂ ବାଂଲାଦେଶର ପରିସ୍ଥିତିକୁ ତୁଳନା କରିବାର ଏକ କପଟପୂର୍ଣ୍ଣ ପ୍ରୟାସ ।
ଜୟସୱାଲ ବାଂଲାଦେଶକୁ ଅନ୍ୟ ଉପରେ ଆଙ୍ଗୁଠି ଉଠାଇବା ପରିବର୍ତ୍ତେ ନିଜ ଦେଶରେ ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଜୟସୱାଲ କହିଛନ୍ତି,ପଶ୍ଚିମବଙ୍ଗର ଘଟଣାବଳୀ ଉପରେ ବାଂଲାଦେଶର ମନ୍ତବ୍ୟ ଗ୍ରହଣୀୟ ନୁହେଁ । ଏହା ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ନିର୍ଯାତନା ଉପରେ ଭାରତର ଚିନ୍ତା ସହିତ ତୁଳନା କରିବାର ଏକ ପ୍ରତାରଣାମୂଳକ ପ୍ରୟାସ । ଯେଉଁଠାରେ ଏପରି ଅପରାଧର ଦୋଷୀମାନେ ମୁକ୍ତ ଭାବରେ ବୁଲୁଛନ୍ତି । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟରେ ଏଇଇଏର ମୁଖପାତ୍ର କହିଛନ୍ତି । ୟୁନୁସଙ୍କ ପ୍ରେସ୍ ସଚିବ ଶଫିକୁଲ ଆଲାମ ଏକ ବିବୃତ୍ତିରେ ମୁସଲିମ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଥିଲେ, ଯାହା ଫଳରେ ବହୁ ଜୀବନ ଏବଂ ସମ୍ପତ୍ତିର କ୍ଷତି ହୋଇଛି । ବାଂଲାଦେଶ ପ୍ରେସ ସଚିବ ଭାରତ ସରକାର ଏବଂ ପଶ୍ଚିମବଙ୍ଗ ପ୍ରଶାସନକୁ ସଂଖ୍ୟାଲଘୁ ମୁସଲିମ ଜନସଂଖ୍ୟାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ ।