କନକ ବ୍ୟୁରୋ : ମଙ୍ଗଳବାର ବାଂଲାଦେଶ ଏୟାରଫୋର୍ସର ଏକ FT-7BGI ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏହି ବିମାନଟି ଢାକାରେ ଏକ ସ୍କୁଲ୍ ବିଲ୍ଡିଂ ଉପରେ ଖସି ପଡ଼ିଥିଲା । ଦୁର୍ଘଟଣାରେ ପାଇଲଟଙ୍କର ମୃତ୍ୟୁ ହେବା ସହିତ ଅନେକ ଛାତ୍ରଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ଦୁର୍ଘଟଣା କିପରି ଘଟିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯେଉଁ ଫାଇଟର ଜେଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହାକୁ ଚୀନ୍ ବାଂଲାଦେଶ ପାଇଁ ତିଆରି କରିଥିଲା । ତେବେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ ଏହି FT-7BGI ଏକ ତାଲିମ ବିମାନ । ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଅନୁସାରେ ଫାଇଟର ଜେଟଟି ଦିନ ୧ଟା ୬ ମିନିଟରେ ଉଡ଼ାଣ ଭରିଥିଲା ଏବଂ ୧ଟା ୩୦ ମିନିଟ୍ ସୁଦ୍ଧା ଦୁର୍ଘଟଣାର ଶିକାର ହୋଇଥିଲା । ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ ଏହି ଦୁର୍ଘଟଣାର ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ପାଇଲଟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟ ମୃତାହତ ଏବଂ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ ।
ବାଂଲାଦେଶ ଏୟାରଫୋର୍ସର ଏହି ଫାଇଟର ଜେଟ୍ ଢାକାର ଉତ୍ତରରେ ଥିବା ମାଇଲଷ୍ଟୋନ୍ ସ୍କୁଲ୍ ପରିସରରେ ଖସିଥିବାର ସୂଚନା ମିଳୁଛି । କୁହାଯାଉଛି ଯେ ଦୁର୍ଘଟଣା ସମୟରେ ସ୍କୁଲରେ ଛାତ୍ରମାନେ ଉପସ୍ଥିତ ଥିଲେ ତେଣୁ ଅନେକ ଛାତ୍ର ଆହତ ହେବାର ସମ୍ଭାବନା ଅଛି । ଢାକା ଅଗ୍ନିଶମ ସେବା ଅନୁସାରେ ଘଟଣାସ୍ଥଳକୁ ଆଠଟି ଦମକଳ ଗାଡ଼ି ପଠାଯାଇଛି । ଦି ଡେଲି ଷ୍ଟାର୍ ପ୍ରତ୍ୟକ୍ଷଦର୍ଶୀ ସାଦମାନ ରୁହସିନଙ୍କ କହିବା ଅନୁସାରେ ବିମାନଟି ସିଧାସଳଖ ସ୍କୁଲ୍ ବିଲ୍ଡିଂ ସହିତ ଧକ୍କା ହୋଇଥିଲା ।