କନକ ବ୍ୟୁରୋ: ବାଂଲାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବୟାନକୁ ନେଇ ଏବେ ଭାରି ଚର୍ଚ୍ଚା । ଭାରତରେ ଅବସ୍ଥାପିତ ଶେଖ ହସିନା କହିଛନ୍ତି, ବାଂଲାରେ ଯେଉଁପରି ଭାବରେ ଅଶାନ୍ତି ସୃଷ୍ଟି ହେଲା ସେହି ସ୍ଥିତିରେ ମୁଁ ଯଦି ୨୦ ମିନିଟ୍‌ ଡେରି କରିଥାଆନ୍ତି ଆସିବାରେ ତାହାଲେ ମତେ ମାରି ଦେଇଥାଆନ୍ତେ । କେବଳ ମତେ ନୁହେଁ ମୋ ଭଉଣୀଙ୍କୁ ବି ମାରିଦେଇଥାଆନ୍ତେ । ଏନେଇ ଯୋଜନା ହୋଇଥିଲା । ହେଲେ ଭଗବାନଙ୍କ ଦୟାରୁ ମୁଁ ବଞ୍ଚିଗଲି ବୋଲି ହସିନା କହିଛନ୍ତି । ହେଲେ ଜଣେ ନେତ୍ରୀ ପ୍ରଧାନମନ୍ତ୍ରୀ ଥିବା ପରେ ବି ତାଙ୍କୁ କେମିତି ହତ୍ୟା ଉଦ୍ୟମ କରାଗଲା ତାହାକୁ ନେଇ ଏବେ ପ୍ରଶ୍ନ ଉଙ୍କି ମାରୁଛି ।

Advertisment

ଶେଖ ହସିନାଙ୍କ ସାଙ୍ଘାତିକ ବୟାନ
କହିଲେ, ୨୦ ମିନିଟ୍‌ ଡେରି ହୋଇଥିଲେ ସବୁ ସରିଯାଇଥାଆନ୍ତା
ମତେ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା

ଭାରତରେ ରାଜନୈତିକ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା କହିଛନ୍ତି ଯେ ତାଙ୍କୁ କ୍ଷମତାଚ୍ୟୁତ କରିବା ପରେ ତୁରନ୍ତ ହତ୍ୟା କରିବାକୁ ଯୋଜନା ହୋଇଥିଲା। ‘ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନେ ମତେ ଓ ମୋ ଭଉଣୀ ଶେଖ୍‌ ରେହନାଙ୍କୁ ହତ୍ୟା କରିବା ପାଇଁ ଷଡ୍‌ଯନ୍ତ୍ର କାର୍ଯ୍ୟକାରୀ କରିଥିଲେ ମଧ୍ୟ ଆମେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛୁ’ । ହେଲେ କେଉଁମାନେ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ ସେନେଇ କୌଣସି ତଥ୍ୟ ଜଣାପଡ଼ିନାହିଁ ।

ହସିନାଙ୍କ ହତ୍ୟା ପଛରେ କାହାର ହାତ ଥିଲା 

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଜୋରଦାର ଆକ୍ରମଣ ହୋଇଥିଲା । ଖାଲି ଆକ୍ରମଣ ହୋଇଥିଲା ତାହା ନୁହେଁ ବରଂ ହିନ୍ଦୁଙ୍କୁ ସାଙ୍ଘାତିକ ହଇରାଣ କରାଯାଉଥିଲା । ସଂରକ୍ଷଣକୁ ନେଇ ପୁରା ବାଂଲାରେ ନିଆଁ ଲାଗିଥିଲା । ସ୍ଥିତି ତ ଏମିତି ହୋଇଥିଲା କି, ୪୦ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ବାହାରିବାକୁ ସେନା ପକ୍ଷରୁ କୁହାଯାଇଥିଲା । ଖୋଦ ବାଂଲା ସେନାର ଚେତାବନୀ ପରେ ସ୍ବତନ୍ତ୍ର ବିମାନରେ ହସିନା ବାଂଲାଦେଶ ଛାଡି ଦିଲ୍ଲୀ ପଳାଇ ଆସିଥିଲେ । ପରେ ପରେ ରାଜନୈତିକ ଆଶ୍ରା ନେଇଥିଲେ ଉତ୍ତରପ୍ରଦେଶରେ । ଅବଶ୍ୟ ପରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା କି, ଋଷିଆ, ବ୍ରିଟେନ୍‌ ଆଦି ରାଷ୍ଟ୍ରରେ ସେ ରହିବେ । କିନ୍ତୁ ଉଭୟ ଦେଶ ହସିନାଙ୍କୁ ରାଜନୈତିକ ଆଶ୍ରୟ ଦେବାକୁ ପ୍ରସ୍ତୁତ ନଥିଲେ । ତେଣୁ ସେବେଠାରୁ ବାଂଲାର ପୂର୍ବତନ ପିଏମ ଶେଖ ହସିନା ଭାରତ ଶରଣରେ ଅଛନ୍ତି । 

କଣ କହିଲେ ହସିନା

ବାଂଲାଦେଶ ଅୱାମୀ ଲିଗ୍‌ର ଫେସବୁକ୍‌ ପେଜ୍‌ରେ ହସିନାଙ୍କର ଏକ ଅଡିଓ ବାର୍ତ୍ତା ପୋଷ୍ଟ୍‌ ହୋଇଛି । ଯେଉଁଥିରେ ହସିନା କହୁଛନ୍ତି, ରେହନା ଏବଂ ମୁଁ ମାତ୍ର ୨୦ ମିନିଟ୍‌ରେ ମୃତ୍ୟୁର ପଞ୍ଝାରୁ ବର୍ତ୍ତିଗଲୁ। ଏହାସହ ଜାରି ହୋଇଥିଲା ଅଡିଓ ବାର୍ତ୍ତାରେ ଶୁଣିବାକୁ ମିଳିଛି, ହସିନା ଅତ୍ୟନ୍ତ କୋହଭରା କଣ୍ଠରେ ଆଲ୍ଲାଙ୍କୁ ପ୍ରଶଂସା କରୁଛନ୍ତି । ଆଲ୍ଲାଙ୍କ କୃପା ହିଁ ସେମାନଙ୍କୁ ନିଶ୍ଚିତ ମୃତ୍ୟୁରୁ ରକ୍ଷା କରି ନୂଆ ଜୀବନ ଦେଇଛି ବୋଲି ସେ କହିଛନ୍ତି। ଏହାସହ ସେ କହିଛନ୍ତି,  ଅଗଷ୍ଟ ୨୧ରେ କୋଟାଲିପଡ଼ାରେ ବୋମା ବିସ୍ଫୋରଣ କବଳରୁ ହେଉ କିମ୍ବା ୨୦୨୪ ଅଗଷ୍ଟ ୫ ତାରିଖ ଆକ୍ରମଣ କବଳରୁ ବଞ୍ଚିବା କାରଣ ପଛରେ ଆଲ୍ଲାଙ୍କର ଇଚ୍ଛା ରହିଛି। ଅନ୍ୟଥ ଏଭଳି ଭାବେ ମୃତ୍ୟୁ ମୁହଁରୁ ବତ୍ତିର୍ବା ସହଜ ନୁହେଁ। ଏବେ ମୁଁ ମୋ ଦେଶ ଏବଂ ଘର ହରାଇ ବହୁତ ପୀଡ଼ାରେ ରହିଛି ବୋଲି ସେ କହିଛନ୍ତି । ହେଲେ ଏବେ ବାଂଲାର ମଧ୍ୟବର୍ତ୍ତୀକାଳୀନ ସରକାର ହସିନାଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ତେବେ ଆଗାମୀ ଦିନରେ ଭାରତ ସରକାର ଏନେଇ କି ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।