bangaldesh Photograph: (Kanak News)
କନକ ବ୍ୟୁରୋ: ବାଂଲାଦେଶର ବର୍ତ୍ତମାନର ଅନ୍ତରୀଣ ସରକାରଙ୍କ ଏକ ନିଷ୍ପତ୍ତି ସେଠାକାର କ୍ରିକେଟ୍ ଭାଗ୍ୟକୁ ଅନ୍ଧାର ଭିତରକୁ ଠେଲି ଦେଇଛି । ଭାରତରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍କୁ ନିଜର ଜାତୀୟ ଦଳ ପଠାଇବାକୁ ମନା କରିବା ପରେ, ବାଂଲାଦେଶ କ୍ରିକେଟ୍ ବୋର୍ଡ ସମ୍ପୂର୍ଣ୍ଣ ରୂପେ ଦେବାଳିଆ ହେବା ସ୍ଥିତିକୁ ଚାଲିଯାଇପାରେ । ସରକାର ନିଜ ନିଷ୍ପତ୍ତିକୁ ନେଇ ଗର୍ବ ଅନୁଭବ କରୁଥିବା ବେଳେ, ବିସିବି କିନ୍ତୁ ପଛପଟ କବାଟ ଦେଇ ଆଇସିସି ନିକଟରେ ଗୁହାରି କରୁଛି ।
ବିସିବି ଆଇସିସିକୁ ବୁଝାଇବାକୁ ଚେଷ୍ଟା କରୁଛି ଯେ ଖେଳାଳିମାନେ ଖେଳିବାକୁ ଚାହୁଛନ୍ତି, କିନ୍ତୁ ସରକାରୀ କଟକଣା ଆଗରେ ସେମାନେ ଅସହାୟ । ବୋର୍ଡ ଚାହୁଥିଲା ଯେ ବାଂଲାଦେଶର ମ୍ୟାଚ୍ ଗୁଡ଼ିକ ଭାରତ ବଦଳରେ ଶ୍ରୀଲଙ୍କାରେ ଆୟୋଜନ କରାଯାଉ । ମାତ୍ର ଆଇସିସି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି । ଯଦି ବାଂଲାଦେଶ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ନକରେ, ତେବେ ସେମାନଙ୍କ ଉପରେ କଠୋର ପ୍ରତିବନ୍ଧକ ଲାଗିପାରେ । ଏପରି ହେଲେ ବାଂଲାଦେଶରେ ଅନ୍ତର୍ଜାତୀୟ କ୍ରିକେଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ଏବଂ ଦୁନିଆର କୌଣସି ବି ଲିଗ୍ରେ ବାଂଲାଦେଶୀ ଖେଳାଳିମାନେ ଖେଳିପାରିବେ ନାହିଁ ।
ବିସିବି ଆଇସିସିଠାରୁ ୨୦୨୪-୨୦୨୭ରେ ବାର୍ଷିକ ପ୍ରାୟ ୨୬.୭୪ ମିଲିୟନ ଡଲାର ପାଇବାର ଆଶା ରଖିଛି । କିନ୍ତୁ ବିଶ୍ୱକପ୍ ଭଳି ବଡ଼ ଇଭେଣ୍ଟରୁ ଦୂରେଇ ରହିଲେ ଏହି ବିପୁଳ ପରିମାଣର ଅର୍ଥ ବୋର୍ଡ ହାତରୁ ଚାଲିଯିବ । କେବଳ ଏତିକି ନୁହେଁ, ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡ଼ିବା ଦ୍ୱାରା ପ୍ରାୟ ୫ କୋଟି ଟଙ୍କାର ଅତିରିକ୍ତ କ୍ଷତି ମଧ୍ୟ ସହିବାକୁ ପଡ଼ିବ । ଯଦି ଆଇସିସି ସଦସ୍ୟତା ରଦ୍ଦ କରେ, ତେବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ରୁ ମଧ୍ୟ ବାଂଲାଦେଶ ବାଦ୍ ପଡ଼ିବ।
୨୦୨୬ ଟି୨୦ ବିଶ୍ୱକପ୍ ବର୍ଜନ କରିବା ପରେ ବାଂଲାଦେଶକୁ ଆଇସିସିର ୫ ଲକ୍ଷ ଆମେରିକୀୟ ଡଲାରର ଅଂଶଗ୍ରହଣ ଶୁଳ୍କ ହରାଇବାକୁ ପଡ଼ିବ । ଏହା ପ୍ରାୟ ୫ କୋଟି ଭାରତୀୟ ଟଙ୍କା କିମ୍ବା ୬.୬୭ କୋଟି ବାଂଲାଦେଶୀ ଟାକା ସହିତ ସମାନ । ଯଦି ବାଂଲାଦେଶ ଏଥିରେ ଅଂଶଗ୍ରହଣ ନକରେ, ତେବେ ସେହି ବଜାରଗୁଡ଼ିକରେ ବ୍ରୋଡକାଷ୍ଟର ଏବଂ ସ୍ପନ୍ସରମାନଙ୍କ ପାଇଁ ଦର୍ଶକଙ୍କ ସଂଖ୍ୟା କମିଯାଇପାରେ । ଏହାଦ୍ୱାରା ବାଂଲାଦେଶର ଉପସ୍ଥିତି ଏବଂ ଫ୍ୟାନ୍ ଫଲୋଇଙ୍ଗ୍ ସହିତ ସିଧାସଳଖ ଜଡ଼ିତ ସମ୍ଭାବ୍ୟ ବ୍ରୋଡକାଷ୍ଟ ରାଜସ୍ୱରେ ହ୍ରାସ ଘଟିବ ।
ଆହୁରି ପଢ଼ନ୍ତୁ... ୩ ବର୍ଷ ପରେ ମିଳିଲା ସୁଯୋଗ: ତଥାପି ବଢ଼ିଲା ଶ୍ରେୟସଙ୍କ ଅପେକ୍ଷା!
ଏହି ବିବାଦ ଆଇପିଏଲ୍ରୁ ମୁସ୍ତାଫିଜୁର ରହମାନଙ୍କୁ ଫେରାଇ ନେବା ଘଟଣାରୁ ଆରମ୍ଭ ହୋଇଥିଲା । ବିସିସିଆଇର ନିର୍ଦ୍ଦେଶ ଓ ପଡ଼ୋଶୀ ଦେଶର ଖରାପ ସ୍ଥିତିକୁ ଦେଖି ଉଭୟ ଦେଶର କ୍ରିକେଟ୍ ସମ୍ପର୍କରେ ତିକ୍ତତା ଆସିଥିଲା । ଏହାକୁ ନେଇ ବାଂଲାଦେଶ ସରକାର ଜିଦ୍ରେ ଅଟଳ ରହିଲେ ଏବଂ ଶେଷରେ ଟୁର୍ଣ୍ଣାମେଣ୍ଟରୁ ଓହରିଯିବାକୁ ନିଷ୍ପତ୍ତି ନେଲେ ।
ଖେଳ ପରାମର୍ଶଦାତା ନଜରୁଲ୍ଙ୍କ କହିବା କଥା ହେଉଛି, "ଖେଳାଳିଙ୍କ ସୁରକ୍ଷା ଆମ ପାଇଁ ପ୍ରାଥମିକତା ।" କିନ୍ତୁ ଏହାର ଦୂରଗାମୀ ପରିଣାମ ଭୟଙ୍କର ହୋଇପାରେ । ବାଂଲାଦେଶ ପ୍ରିମିୟର ଲିଗ୍ ବନ୍ଦ ହୋଇଯିବା ସହ ବ୍ରଡକାଷ୍ଟର ଓ ପ୍ରାୟୋଜକମାନେ ବୋର୍ଡଠାରୁ ଦୂରେଇ ଯିବେ । କ୍ରିକେଟ୍ ପ୍ରେମୀ, ଖେଳାଳିମାନେ ବୋର୍ଡ ବିରୋଧରେ ବିଦ୍ରୋହ କରିବାର ଆଶଙ୍କା ମଧ୍ୟ ଦେଖାଦେଇଛି । ସରକାରଙ୍କ ଏକଜିଦିଆ ମନୋଭାବ ବାଂଲାଦେଶ କ୍ରିକେଟ୍କୁ କେଉଁ ମୋଡ଼କୁ ନେଉଛି, ତାହା ଦେଖିବାକୁ ବାକି ରହିଲା।
Follow Us