କନକ ବ୍ୟୁରୋ: ଭାରତରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍ ନଖେଳିବା ଜିଦ୍‌ରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଅଟଳ ଥିଲା ବେଳେ ଏହାକୁ ନେଇ ଖୋଦ ବାଂଲାଦେଶ କ୍ରିକେଟ୍‌ ଦି ଫାଳ ହୋଇଛି । ଏହି ଦେଶର ବହୁ ପୂର୍ବତନ କ୍ରିକେଟର୍‌ ଅଯଥା ଏଣୁ ତେଣୁ ନକହି ନିଜ ଗୋଡ଼ ନିଜେ ହାଣିବା ପରିବର୍ତ୍ତେ ପରିସ୍ଥିତିକୁ ବୁଝି ନଦନୁଯାୟୀ ନିଷ୍ପତ୍ତି ନେବାକୁ ବିସିବିକୁ ପରାମର୍ଶ ଦେଇଛନ୍ତି । ପୂର୍ବତନ ଓପନର୍‌ ତମିମ ଇକବାଲ୍‌ ଆଉ ପାଦେ ଆଗକୁ ଯାଇ ଅଯଥା ବିସିସିଆଇ ସହ ନଲାଗିବାକୁ ନିଜ ଦେଶର କ୍ରିକେଟ୍ ବୋର୍ଡକୁ ଆହ୍ବାନ କରିଛନ୍ତି । ଭାବନାରେ ଭାସିଯାଇ କୌଣସି ନିଷ୍ପତ୍ତି ନିଅନି । ପରିସ୍ଥିତିକୁ ବୁଝି ଏବଂ କିଛି ବି କରିବା ପୂର୍ବରୁ ବାଂଲାଦେଶ କ୍ରି‌କେଟର୍‌ ହିତକୁ ଅଗ୍ରାଧିକାର ଦିଅ । ଅକାରଣରେ ଆମ କ୍ରିକେଟ୍‌କୁ ବରବାଦ କରନି ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି । ‌ତେବେ ବିସିବିର ଜଣେ ଅଧିକାରୀ ଏଥିପାଇଁ ତାଙ୍କୁ ଭର୍ତ୍ସନା କରିଛନ୍ତି । ଏପରିକି ତମିମଙ୍କୁ ସେ ଭାରତର ଏଜେଣ୍ଟ୍‌ ଆଖ୍ୟା ଦେଇଛନ୍ତି । ଯାହାକୁ ତସ୍କିନ ଅହମଦ, ମୋମିନୁଲ ହକ୍ ଓ ତାଇଜୁଲ ଇସ୍‌ଲାସଙ୍କ ଭଳି ପୂର୍ବତନ କ୍ରିକେଟର୍‌ ତୀବ୍ର ସମାଲୋଚନା କରିଛନ୍ତି । ତମିମ ୧୬ବର୍ଷ ଧରି ବାଂଲାଦେଶ କ୍ରିକେଟ୍‌କୁ ସେବା ଦେଇଛନ୍ତି । ତାଙ୍କୁ ଏଭଳି କହି ସମଗ୍ର କ୍ରିକେଟ୍‌ ଜଗତକୁ ଅସମ୍ମାନ କରିନି ବୋଲି ସେମାନେ ବିସିବିକୁ ଆହ୍ବାନ କରିଛନ୍ତି । 

Advertisment

ବାଂଲାଦେଶର ଟେଷ୍ଟ୍‌ ଅଧିନାୟକ ନଜମୁଲ ହୁସେନ ସଣ୍ଟୋ ମଧ୍ୟ ବିସିବିର କଠୋର ଆଭିମୁଖ୍ୟକୁ ପପସନ୍ଦ କରି ନାହାନ୍ତି । ଟ୍ବେଣ୍ଟି-୨୦ ବିଶ୍ବକପ୍‌ ନେଇ ସୃଷ୍ଟି ହୋଇଥିବା ବିବାଦ ତଥା ଗତିରୋଧ ଯୋଗୁ ସେମାନଙ୍କ ଖେଳ ପ୍ରଭାବିତ ହେଉଛି ବୋଲି ସ୍ବୀକାର କରି ସେ କହିଛନ୍ତି, ସତ କହିବାକୁ ଗଲେ ଏହି ବିବାଦ ଆମ ଖେଳାଳିଙ୍କ ପାଇଁ ଅତିରିକ୍ତ ମାନସିକ ଚାପ ସୃଷ୍ଟି କରିଛି । ସବୁକିଛି ଠିକ୍‌ ଅଛି ବୋଲି କେବଳ ଆମେ ଅଭିନୟ କରୁଛୁ । ସେପଟେ ଏହି ମାମଲାରେ ଶନିବାର ବିସିସିଆଇ ମୁହଁ ଖୋଲିଛି । ବିଶ୍ୱକପ୍‌ ମ୍ୟାଚ୍‌ର ସ୍ଥାନ ଅଦଳ ବଦଳ କରିବା କାମ ଆଇସିସିର । ଆମେ ଏଥିସହ କୌଣସି ମତେ ଜଡ଼ିତ ନାହୁଁ । ଆଇସିସି ଯାହା ନିଷ୍ପତ୍ତି ନେବ ଆମେ ସବୁ ମାନିବୁ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କରିଛନ୍ତି । 

ଏହା ବି ପଢ଼ନ୍ତୁ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରସ୍ତୁତି ଲାଗି ବିବିଏଲ୍‌ ଛାଡ଼ିବେ ଅଷ୍ଟ୍ରେଲିଆର ତାରକା ଖେଳାଳି

ସୂଚନାଯୋଗ୍ୟ ଯେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିରନ୍ତର ଆକ୍ରମଣ, ଲୁଣ୍ଠନ ଓ ହତ୍ୟା ପ୍ରତିବାଦରେ ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ବାଦ୍ ଦେବା ଲାଗି କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ବିସିସିଆଇ ନିର୍ଦ୍ଦେଶ ଦେଇଥିଲା । ‌ମୁସ୍ତାଫିଜୁରଙ୍କୁ କେକେଆର୍‌ ମଧ୍ୟ ନିଜ ଦଳରୁ ବିଦା କରି ଦେଇଥିଲା। ଏହା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଭାରତକୁ ଦଳ ପଠାଇବ ନାହିଁ ବୋଲି ଧମକ ଦେଇଥିଲା । ବିସିବି ମଧ୍ୟ ନିଜ ମ୍ୟାଚ୍‌ର ସ୍ଥାନ ବଦଳାଇବାକୁ ଆଇସିସିକୁ ପତ୍ର ଲେଖି ଦାବି କରିଥିଲା । ଆଇସିସି ତା’ର ଏହି ଦାବିକୁ କିନ୍ତୁ ଅନଔପଚାରିକ ଭାବେ ଅଗ୍ରାହ୍ୟ କରିଦେଇଥିଲା । ‌ତେବେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବିସିସିଆଇ ଦ୍ବିତୀୟ ପତ୍ର ଲେଖିଛି । ଯାହାର କୌଣସି ଅନୁଷ୍ଠାନିକ ଉତ୍ତର ଏ ପର୍ଯ୍ୟନ୍ତ ରଖିନି ଆଇସିସି । ଏହି ବିବାଦ ପରିପ୍ରେକ୍ଷୀରେ  ଆଇସିସି ଅଧ୍ୟକ୍ଷ ଜୟ ଶାହ ରବିବାର ବିସିସିଆଇ ଅଧିକାରୀଙ୍କୁ ଭେଟିବାକୁ ଯାଉଛନ୍ତି ।