କନକ ବ୍ୟୁରୋ: ବାଂଲାଦେଶ ଭିତରେ ଯେତେବେଳେ ନିଜ ଖେଳାଳି ଅସୁରକ୍ଷିତ, ସେତେବେଳେ ଭାରତକୁ ଆସିଲେ ବାଂଲାଦେଶ ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିବା କହିବା ହାସ୍ୟାସ୍ପଦ ନୁହେଁ ତ ଆଉ କଣ? କାହିଁକି ନା ଆଗାମୀ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଆସିବାକୁ ବାଂଲାଦେଶ କ୍ରିକେଟ୍ ବୋର୍ଡ ମନା କରିଦେଇଛି, ହେଲେ ଏହା ଭିତରେ କିନ୍ତୁ ବାଂଲାଦେଶ ଭିତରେ ବାଂଲାଦେଶର ଖେଳାଳି କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି ।

Advertisment

ଯେତେବେଳେ ବି ବାଂଲାଦେଶର କ୍ରିକେଟ୍ କଥା ଉଠେ, ସେତେବେଳେ ସାମ୍ନାକୁ ଜଣେ ଖେଳାଳିଙ୍କ ଚେହେରା ହିଁ ଆସିଥାଏ । ସେ ହେଲେ ବାଂଲାଦେଶୀ ଅଲରାଉଣ୍ଡ ସକିବ୍ ଅଲ୍ ହାସନ୍ । ହେଲେ ଏହି ଖେଳାଳି ଏବେ ନିଜେ ବାଂଲାଦେଶ ଭିତରେ ଅସୁରକ୍ଷିତ । ଯେଉଁ କାରଣରୁ ଦୀର୍ଘ ଦିନ ହେଲା ସକିବ୍ ଅଲ୍ ହାସନ୍ ବାଂଲାଦେଶରୁ ବାହାରେ ରହୁଛନ୍ତି । ଆଉ ଏପରି ଏକ ସମୟରେ ବାଂଲାଦେଶର ଖେଳାଳି ଭାରତରେ ନିଜକୁ ଅସୁରକ୍ଷିତ କହିବା ହାସ୍ୟାସ୍ପଦ ନୁହେଁ ତ ଆଉ କଣ?

ଆପଣ ଜାଣିଥିବେ, ବାଂଲା ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗରୁ ବାହାର କରାଯିବା ପରେ, ବାଂଲାଦେଶ କ୍ରିକେଟ୍ ବୋର୍ଡ ICC ଟି-୨୦ବିଶ୍ୱକପ୍ ପାଇଁ ଭାରତକୁ ତାର ଦଳ ପଠାଇବାକୁ ମନା କରିଦେଇଛି । BCBର କହିବା କଥା ଯେ ଏହାର ମ୍ୟାଚ୍ ଭାରତ ବଦଳରେ ଶ୍ରୀଲଙ୍କାରେ ହେଉ । BCB ସୁରକ୍ଷା ଚିନ୍ତାର କାରଣ ଦର୍ଶାଇଛି, ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ ମନେହେଉଛି । ତେବେ ଭାରତ ଉଚ୍ଚସ୍ତରର ସୁରକ୍ଷା ବ୍ୟବସ୍ଥା ଏବଂ ଉତ୍କୃଷ୍ଟ ଆତିଥ୍ୟତା ପ୍ରଦାନ କରି ପ୍ରମୁଖ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର କ୍ଷମତାକୁ ବାରମ୍ବାର ପ୍ରମାଣିତ କରିଛି । ଯାହାର ମୁଖ୍ୟ ଉଦାହରଣ ହେଉଛି ୨୦୨୩ ଦିନିକିଆ ବିଶ୍ୱକପ ।

ବିଶେଷଜ୍ଞଙ୍କ କହିବା କଥା, ବାଂଲାଦେଶ କ୍ରିକେଟ୍ ବୋର୍ଡ ସୁରକ୍ଷାକୁ କେବଳ ଏକ ବାହାନା ଭାବରେ ବ୍ୟବହାର କରୁଛି, ଯେତେବେଳେ କି ବାଂଲାଦେଶ ଭିତରେ ଆଭ୍ୟନ୍ତରୀଣ ପରିସ୍ଥିତି ବହୁତ ଗମ୍ଭୀର ରହିଛି । ବାଂଲାଦେଶରେ ସଂଖ୍ୟାଲଘୁ ପରିସ୍ଥିତି ଭୟଙ୍କର ରହିଛି । ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଅତ୍ୟାଚାର ବିରୁଦ୍ଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିନାହାଁନ୍ତି। ଏହାବ୍ୟତୀତ, ବାଂଲାଦେଶର ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟକୁ ମଧ୍ୟ ଟାର୍ଗେଟ କରାଯାଉଛି। । ଯାହାର କି ପ୍ରମୁଖ ଉଦାହରଣ ହେଉଛନ୍ତି ବାଂଲାଦେଶର ସବୁଠାରୁ ବଡ଼ କ୍ରିକେଟ୍ ତାରକା ସାକିବ୍ ଅଲ୍ ହାସନ୍, ଏହି କାରଣରୁ ଦୀର୍ଘ ସମୟ ଧରି ସକିବ ଦେଶ ବାହାରେ ରହିବାକୁ ବାଧ୍ୟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ : ବିଶ୍ବର ସବୁଠାରୁ ବଡ଼ ଶିବଲିଙ୍ଗ ; ଓଜନ ୨୧୦ ମେଟ୍ରିକ୍ ଟନ୍

ସାକିବ ଅଲ୍ ହାସନଙ୍କ ବିରୋଧରେ ଜଣେ ଛାତ୍ରଙ୍କ ହତ୍ୟା ନେଇ ଅଭିଯୋଗ ରହିଛି । ହେଲେ ଘଟଣା ସମୟରେ କିନ୍ତୁ ସେ କାନାଡାରେ ଏକ ଟି-୨୦ ଲିଗ୍ ଖେଳୁଥିଲେ,  ତା ପରେ ମଧ୍ୟ ତାଙ୍କ ନାମ FIRରେ ରହିଛି । ରୁବେଲ ନାମକ ଏହି ଛାତ୍ରଜଣକ ଆଡବୋର ଅଞ୍ଚଳର ଏକ ପ୍ରତିବାଦ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଆଉ ଅଭିଯୋଗ ହୋଇଥିଲା ଯେ ରାଲି ସମୟରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରି ତାଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା, ଯାହା ଫଳରେ ରୁବେଲଙ୍କ ମୃତ୍ୟୁ ହୋଇଥିଲା। ସାକିବଙ୍କ ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ଓବାଇଦୁଲ୍ କଦର୍ ଏବଂ ୧୫୪ ଜଣଙ୍କୁ ଏହି ମାମଲାରେ ଅଭିଯୁକ୍ତ କରାଯାଇଥିଲା। ଯାହାପରଠୁ ସାକିବ୍ ଆଉ ବାଂଲାଦେଶକୁ ଫେରିନାହାଁନ୍ତି । ସୂଚନାଯୋଗ୍ୟ ଯେ, ସାକିବ ଶେଖ୍ ହାସିନାଙ୍କ ଦଳ ଆୱାମୀ ଲିଗ୍ ପକ୍ଷରୁ ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ। ଆଉ ହାସିନା ସରକାରଙ୍କ ପତନ ପରେ ବାଂଲାଦେଶରେ ତାଙ୍କୁ ଟାର୍ଗେଟ୍ କରାଯାଇଥିଲା ।

ଜାଣିରଖିବା ଉଚିତ ଯେ, ସକିବଙ୍କ ପାଇଁ ବାଂଲାଦେଶରେ ଏବେ ସ୍ଥିତି ଭୟଙ୍କର ରହିଛି । ଯେଉଁ କାରଣରୁ ସେ ତାଙ୍କ ପରିବାର ସହିତ ଆମେରିକାରେ ରହୁଛନ୍ତି । ନିକଟ ଭବିଷ୍ୟତରେ ତାଙ୍କର ବାଂଲାଦେଶ ଫେରିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ ବୋଲି କୁହାଯାଉଛି । ବାଂଲାଦେଶ କ୍ରିକେଟ୍ ବୋର୍ଡ ନିଜେ ସାକିବଙ୍କୁ ସ୍ପଷ୍ଟ ଭାବରେ କହିସାରିଛି ଯେ, ତାଙ୍କ ସୁରକ୍ଷାର ଗ୍ୟାରେଣ୍ଟି ବୋର୍ଡ ଦେଇପାରିବ ନାହିଁ। ଏହି କାରଣରୁ ସାକିବ ବାଂଲାଦେଶ ଫେରିପାରିନାହାଁନ୍ତି।