କନକ ବ୍ୟୁରୋ : ଯେମିତି ବିନା ସମାଲୋଚନାରେ ସୁଧୁରେନି ଜୀବନ, ଠିକ୍ ସେମିତି ସମାଲୋଚନା ବିନା ବି ସୁଦୃଢ଼ ହୁଏନି ସାହିତ୍ୟ ଓ ସୃଜନ । ସମାଲୋଚନା ଏକ ଦାୟିତ୍ବପୂର୍ଣ୍ଣ କାର୍ଯ୍ୟ । ପ୍ରକୃଷ୍ଟ ବନ୍ଧନକୁ ପ୍ରବନ୍ଧ କୁହାଯାଏ ବୋଲି 'ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ' ପ୍ରସଙ୍ଗରେ ‘ସମ୍ବାଦ ସାହିତ୍ୟ ପକ୍ଷ’ ମଞ୍ଚରେ ମତ ପ୍ରକାଶ ପାଇଛି । ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ତୃତୀୟ ସନ୍ଧ୍ୟାର ମଞ୍ଚକୁ ଆଜି ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁଙ୍କୁ ସମର୍ପିତ କରାଯାଇଥିଲା । ବିଶିଷ୍ଟ ଲେଖକ ତଥା ସମାଲୋଚକ କଇଳାଶ ପଟ୍ଟନାୟକ ଉତ୍ସବକୁ ଉଦ୍ଘାଟନ କରି ଏକ କାହାଣୀ ମାଧ୍ୟମରେ ଆଶୀର୍ବଚନ ପ୍ରଦାନ କରିଥିଲେ ।
ଆଳାପ ଅଧିବେଶନରେ ‘ପ୍ରବନ୍ଧର ପାଠକୀୟତା’ ପ୍ରସଙ୍ଗରେ ଗାନ୍ଧୀ ସାହିତ୍ୟର ଜଣାଶୁଣା ଲେଖକ ଓ ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡ଼ାଙ୍କ ସହ ଆଳାପ କରିଥିଲେ ବିଶିଷ୍ଟ କବି ଓ ସ୍ତମ୍ଭକାର ଧନଞ୍ଜୟ ସ୍ବାଇଁ । ସେଥିରେ ପ୍ରବନ୍ଧର ପୃଷ୍ଠଭୂମି ଉପରେ ମତ ପ୍ରକାଶ କରିଥିଲେ ଶ୍ରୀଯୁକ୍ତ ପରିଡ଼ା । ସେ କହିଥିଲେ, ପ୍ରବନ୍ଧ ଲେଖକ ନିଜ ଲେଖାର ପ୍ରଥମ ପାଠକ । ତେବେ ପ୍ରବନ୍ଧ ବାହାରିବା ପରେ ତାହା ପାଠକର ହୋଇଯାଏ । ପାଠକ ଲେଖାକୁ ଭୁଲିଗଲେ ଲେଖକର ଦେହାନ୍ତ ହୋଇଯାଏ । ପ୍ରବନ୍ଧରେ କେବଳ ସତ୍ୟ ଓ ତଥ୍ୟ ଥାଏ । ପ୍ରବନ୍ଧରେ ଯୁକ୍ତି ନଥିଲେ ତାହା ପ୍ରବନ୍ଧ ନୁହେଁ । ପ୍ରବନ୍ଧ ଗୋଟିଏ ପଥୁରିଆ ପ୍ରସଙ୍ଗ, ତାକୁ ଶୈଳୀରେ ବାଢ଼ିପାରିଲେ ତାହା ଭଲଲାଗେ । ନୂତନ ପିଢିଙ୍କୁ ସଂକ୍ଷିପ୍ତରେ ଏବଂ ସରଳ ଭାଷାରେ ଲେଖିବାକୁ ପରାମର୍ଶ ଦେବା ସହ ‘ଆଗେ ପଢ, ପରେ ଭାବ, ତା’ପରେ ଲେଖ’ ଶ୍ରୀଯୁକ୍ତ ପରିଡ଼ା କହିଥିଲେ ।
ଆଜି ମଞ୍ଚରେ ‘ନୂଆପିଢ଼ି: ସାହିତ୍ୟ ଓ ସମାଲୋଚନାର ଗତି ଓ ସ୍ଥିତି’ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ତିନି ଜଣ ବିଶିଷ୍ଟ ସମାଲୋଚକ ଓ ଗବେଷକ ସୁଧା ଦାଶ, ସୁବ୍ରତ ଦାସ, ସଂଜିତା ମିଶ୍ରଙ୍କ ସହ ଆଲୋଚନାକୁ ସଂଯୋଜନା କରିଥିଲେ ବରିଷ୍ଠ ସମାଲୋଚକ ସନ୍ତୋଷ କୁମାର ରଥ। ଆଜି ମଞ୍ଚ କବି ରସାନନ୍ଦ ସାହୁ, କବି ଆଶୁତୋଷ ଦାଶ ଏବଂ ଯୁବ କଥାକାର ସୁମନ ଦାଶଙ୍କ କବିତା ଓ ଗଳ୍ପ ଆବୃତ୍ତିରେ ଉଛୁଳିଥିଲା ଏବଂ କରତାଳିରେ କମ୍ପିଥିଲା ପରିସର ।
ସେହିପରି ପ୍ରଖ୍ୟାତ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ ‘ବଧୂ ନିରୁପମା’ ଉପନ୍ୟାସର କ୍ଷୁଦ୍ର ନାଟ୍ୟରୂପ ମଞ୍ଚରେ ଦର୍ଶକଙ୍କ ମନ ଜିଣିଥିଲା । ସ୍ବାମୀ-ସ୍ତ୍ରୀ ଓ ସାଂସାରିକ ଜୀବନର ସୁଖ-ଦୁଃଖର ଦୃଶ୍ୟ ଦର୍ଶକଙ୍କୁ ଛଳଛଳ କରାଇଥିଲା । ସଂଗ୍ରାମ ମିଶ୍ର ଏହାକୁ ନାଟ୍ୟ ରୂପାନ୍ତର କରିଥିବା ବେଳେ ବିପ୍ରଞ୍ଜୟ ନାୟକ ନିର୍ଦ୍ଦେଶନା ଦେଇଥିଲେ । ରାମେଶ୍ବରୀ, ରାକ୍ଷୀ ଓ ବିପ୍ରଞ୍ଜୟ ଏଥିରେ ଅଭିନୟ କରିଥିଲେ । ସମାଜରେ ବଢୁଥିବା ହାତଗୁଞ୍ଜାକୁ ନେଇ କବିତା ‘ଚୌକି ତଳୁ’କୁ ବ୍ୟଙ୍ଗାତ୍ମକ ଉପସ୍ଥାପନା କରିଥିଲେ କବି ଆଲୋକ କୁମାର ଦାସ ।
ସମ୍ପାଦକ ବସନ୍ତ ମାଝୀ ଓ ସଂସଦର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଆଜି ‘ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ’କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ସବୁଦିନ ପରି ସାହିତ୍ୟର ପେଡ଼ି ଧରି ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମକୁ ସଂଚାଳନ କରିଥିଲେ ଆର୍.ଜେ ଅନିଲ । ମଞ୍ଚ ସଂଯୋଜନା କରିଥିଲେ ମିଲନ୍ ଘଟୁଆରୀ । ଧନ୍ୟବାଦ ଅର୍ପଣ କରିଥିଲେ ସମ୍ବାଦର ସହ-ସମ୍ପାଦିକା ବନ୍ଦନା ମିଶ୍ର । ସୂଚନାଯୋଗ୍ୟ, ୪ ଫେବ୍ରୁଆରି ବୁଧବାର ଦିନ ‘ସମ୍ବାଦ ସାହିତ୍ୟ ପକ୍ଷ’ ମଞ୍ଚରେ ‘ନାଟକ ସାହିତ୍ୟ’ ଉପରେ ଆଲୋଚନା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/03/45d-2026-02-03-21-06-35.jpg)