କନକ ବ୍ୟୁରୋ: ପାର୍ବଣ ପାଇଁ ଲାଗିଲା କଟକଣା । ଡିଜେ ବ୍ୟାନ୍ ସହ ଦୁର୍ଗାପୂଜାକୁ ନିଶାମୁକ୍ତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କମିସନରେଟ ପୁଲିସ । ଆଉ ଏଥିପାଇଁ ପ୍ରଥମ ଥର ପୂଜା କମିଟି ସଦସ୍ୟଙ୍କୁ ଶପଥ ପାଠ କରାଇବ କମିଶନରେଟ ପୋଲିସ । ଏହାସହ ପୂଜାକୁ ଶୃଙ୍ଖଳିତ କରିବା ପାଇଁ ମହିଳା ପୁଲିସ ମୁତୟନ ସହ ପୂଜା ମଣ୍ଡପ ଗୁଡ଼ିକ ସିସିଟିଭିରେ ଛାଉଣୀ ରହିବ ।

Advertisment

ଦୁର୍ଗା ପୂଜା ପାଇଁ ଲାଗିଲା କଟକଣା । ଏଥର ଡିଜେ, ମଦ ଓ ପ୍ଲାଷ୍ଟିକ ମୁକ୍ତ ପୂଜା ପାଇଁ ଅଣ୍ଟା ଭିଡ଼ିଛି କମିସନରେଟ୍ ପୁଲିସ । ପ୍ରଥମଥର ପାଇଁ ଦେଖା ଦେଇଛି ଚଳିତ ବର୍ଷ ନିଶାମୁକ୍ତ ପୂଜା ଅଭିଯାନ । ପାର୍ବଣର ମାହୋଲରେ ପୂଜା କମିଟିର ସଦସ୍ୟମାନେ ମଦ ପିଇବା ଉପରେ କଟକଣା ଜାରି କରାଯାଇଛି । ଅନୁମତି ପାଇଁ ପୁଲିସ ପାଖକୁ ଆସିଥିବା ପୂଜା କମିଟି ସଦସ୍ୟମାନଙ୍କୁ କମିସନରେଟ୍ ପୁଲିସ ଶପଥ ପାଠ କରାଇବ । ବିଶେଷକରି ମହିଳାଙ୍କ ପାଇଁ ପୂଜା ପେଣ୍ଡାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସିସିଟିଭି ଲଗାଯିବ । ଚୋରି, ଛିନତାଇକୁ ଆଖି ଆଗରେ ରଖି ବିଭିନ୍ନ ପୂଜା ମଣ୍ଡପରେ ବ୍ୟାପକ ପୁଲିସ ମୁତୟନ ସହ ଭଲ୍ୟୁଣ୍ଟିୟର ନିୟୋଜିତ ହେବେ ।

ବିଏମସି ପକ୍ଷରୁ ଡ୍ରେନେଜ ସମସ୍ୟାରର ସମାଧାନ, ରାସ୍ତା ଘାଟ ମରାମତି ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ୩ କୋଟି ୩୫ ଲକ୍ଷର ଅନୁଦାନ ଦିଆଯାଇଛି । ପ୍ରତି କର୍ପୋରେଟରଙ୍କ ପିଛା ୫ଲକ୍ଷ ଟଙ୍କା ଦିଆଯାଉଛି । ହେଲେ କାମ ନକରି ଟଙ୍କା କୁଆଡ଼େ ଯାଉଛି କହି ପ୍ରଶ୍ନ ଉଠାଇଛି ଷ୍ଟେସନ ବଜାର ପୂଜା କମିଟି ।ଏଥର ରାଜଧାନୀରେ ମୋଟ ୧୭୧ଟି ମଣ୍ଡପରେ ପୂଜା ପାଇବେ ମା’ । ପୂଜା ମଣ୍ଡମରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୦ଟା ପରିବର୍ତ୍ତେ ରାତି ୧୨ଟା ଯାଏଁ ଚାଲିବ । ରାବଣ ପୋଡିବେଳେ ଶବ୍ଦ ପ୍ରଦୂଷଣ କରୁଥିବା ବାଣକୁ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି । ଭସାଣିରେ ଭାଇବ୍ରେଟ ମ୍ୟୁଜିକ, ଡିଜେ ବାରଣ କରାଯାଇଛି । ଅବକାରୀ ବିଭାଗକୁ ଚୋରା ମଦ କାରବାର ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଟ୍ରାଫିକ, ଲ ଆଣ୍ଡ ଅର୍ଡର, ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ।