କନକ ବ୍ୟୁରୋ : ସାରା ଦେଶରେ ଏବେ କଫ୍ ସିରପକୁ ନେଇ ଆତଙ୍କ । ମଧ୍ୟପ୍ରଦେଶରେ ୧୪ଜଣ ଶିଶୁଙ୍କ ମୃତ୍ୟୁ ପରେ ଭୟଭୀତ ଅବସ୍ଥାରେ ଅଭିଭାବକ । କଫ୍ ସିରପ୍ ଯୋଗୁ ଶିଶୁଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ କରାଯାଉଛି । ଯାହାକୁ ନେଇ ମଧ୍ୟପ୍ରଦେଶ ସମେତ ରାଜସ୍ଥାନ, ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ରାଜ୍ୟ ସରକାର କୋଲଡ୍ରିଫ୍ ନାମକ କଫ୍ ସିରପ୍କୁ ବ୍ୟାନ୍ ଘୋଷଣା କରିସାରିଲେଣି । ସେପଟେ ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କୁ ଥଣ୍ଡାକାଶ ହେଲେ କଫ୍ ସିରପ୍ ନଦେବାକୁ ମାର୍ଗଦର୍ଶିକା ଜାରି କରିସାରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ।
ଆମେ ଅନେକ ସମୟରେ ଦେଖିଥାଉ ଯେତେବେଳେ କୌଣସି ପିଲାକୁ କାଶ ହୁଏ, ପିତାମାତା ପ୍ରାୟତଃ ସେମାନଙ୍କୁ କଫ୍ ସିରପ୍ ଦେଇଥାନ୍ତି । କେତେବେଳେ ଏହା ଡାକ୍ତରଙ୍କ ପ୍ରେସକ୍ରିପସନ୍ ଅନୁଯାୟୀ ଦିଆଯାଇଥାଏ ତ ଆଉ କେତେବେଳ ଘରେ ଥିବା ପୁରୁଣା ସିରପ୍କୁ ମଧ୍ୟ ଶିଶୁଙ୍କୁ ସେବନ କରାଇ ଦିଆଯାଏ, ଯାହା ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ସୃଷ୍ଟି କରିଥାଏ ବିପଦ ।