କନକ ବ୍ୟୁରୋ : ବାଘ ଶିକାର କରି ମାଂସ ଖାଇବା ଆପଣ ଶୁଣିଥିବେ । କିନ୍ତୁ ବାଘକୁ ଶିକାର କରି ତା ମାଂସ ମଣିଷ ଖାଉଛି  ଏକଥା ଯିଏ ଶୁଣିବ ସିଏ ଚମକିବ । ହଁ ଆମେ ନୂଆପଡାର କଥା କହୁଛୁ ।  କଲରାପତରିଆ ବାଘକୁ ଶିକାର କରି ପୋଡି ପୋଡି ମାଉଁଶ ଖାଇଛନ୍ତି ମଣିଷ ।  ଶିକାରୀଙ୍କୁ ଗିରଫ ହୋଇଛି ସତ ମଣିଷର ରାକ୍ଷସ ପ୍ରକୃତିର ଗୋଟିଏ ଚେହେରା ଏବେ ସାମ୍ନାକୁ ଆସିଛି । ଏ ମଣିଷକୁ ବାସନ୍ଦ କରିବା ନା ସାଙ୍ଗରେ ରଖିବା ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।  

Advertisment

ବାରହା ଶିକାର ପାଇଁ ବିଛାଯାଇଥିଲା ଜାଲ । କିନ୍ତୁ କଲରାପତରିଆ ବାଘ ଜାଲରେ ପଡିବା ପରେ ଏହାକୁ କାଟି, ବାଣ୍ଟି ଖାଇଥିଲେ ୪ ଶିକାରୀ । ଆଉ କିଛି ବଳକା ମାଂସ ଲୁଚାଇବାକୁ ଉଦ୍ୟମ କରୁଥିବା ବେଳେ ଚଢାଉ କରି ୨ ଶିକାରୀଙ୍କୁ ଧରିଥିଲା ବନବିଭାଗ । ନୂଆପଡା କୋମନା ରେଞ୍ଜ ଦେଓଦର୍ହ ଗାଁରୁ ଏଭଳି ଆଶ୍ଚର୍ଯ୍ୟ କଲାଭଳି ଖବର ପୂରା ଓଡ଼ିଶାକୁ ଚକିତ କରିଥିଲା । ଯେଉଁ ବାଘକୁ ଦେଖିଲେ ମଣିଷର ରକ୍ତ ଶୁଖିଯାଉଥିଲା, ଆଜି ସେହି ବାଘର ରକ୍ତରେ ଖେଳିଛି ମଣିଷ । ଆଉ ମଣିଷ ଖାଇଛି ବାଘ ମାଉଁସ । 

ବାଘକୁ ମଣିଷ ଖାଇବ ଏକଥା ବିଶ୍ବାସଯୋଗ୍ୟ ନୁହେଁ । କାରଣ ଶିକାରୀ ଯେବେ ଶିକାର ପାଲଟୁଛି ସେତେବେଳେ ବନବିଭାଗ ନିଜର ଅସହାୟତା ପ୍ରକାଶ କରିଛି । ବନବିଭାଗ ଦ୍ବାରା ସବୁ ବନ୍ୟଜନ୍ତୁଙ୍କୁ ଟ୍ରାକ କରିବା ସମ୍ଭବ ନୁହେଁ । ଖାସକରି କଲରା ପତରିଆ ବାଘ ଯେ ଶିକାର ପାଲଟିବ ତାହା ବନବିଭାଗର କଳ୍ପନାର ବାହାରେ । ତେଣୁ ବାଘ ମାଂସଖିଆ ଶିକାରୀଙ୍କ ସ୍ଥାନ କେବଳ ଜେଲରେ ନୁହେଁ । ବରଂ ଶିକାରୀଙ୍କୁ ସାମାଜିକ ବାସନ୍ଦ କରନ୍ତୁ ବୋଲି ଲୋକଙ୍କୁ ଆହ୍ବାନ ଦେଇଛନ୍ତି ପିସିସିଏଫ । ଅନ୍ୟପଟେ ବାରମ୍ବାର ଶିକାର ବଢିବା ଦ୍ବାରା ବନବିଭାଗ ବଦନାମ ହେଉଥିବା କହି ବନ କର୍ମଚାରଙ୍କୁ ପରୋକ୍ଷରେ ତାଗିଦ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ନୂଆପଡାରେ କଲରାପତରିଆ ଶିକାର ଓ ରେଢାଖୋଲରେ ହାତୀ ମୃତ୍ୟୁ ଭିତରେ ରାଜଧାନୀରେ ଡିଏଫଓ ସମ୍ମିଳନୀ ସରିଛି । ଜନ୍ତୁ ଶିକାରକୁ ଆଉ ହାଲୁକାରେ ନେବନି ଜଙ୍ଗଲ ବିଭାଗ । ସେଥିପାଇଁ ଡିଏଫଓଙ୍କୁ ମାସେରୁ ଅଧା ଦିନ ଜଙ୍ଗଲରେ ବୁଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ସଚିବ ।