କନକ ବ୍ୟୁରୋ :   କେମିତି ବନିବେ ଓଏଏସ୍, ଦେଉଥିଲେ ଟିପ୍ସ । ନ୍ୟୁଜ୍ ପେପର୍ ପଢ଼ିବାକୁ କହୁଥିଲେ, ହେଲେ ବିଡ଼ମ୍ୱନା- ଆଜି ନିଜେ ନ୍ୟୁଜ୍ ବନିଗଲେ । ତା ପୁଣି ଦୁର୍ନୀତି ଅଭିଯୋଗରେ । ୨୦୧୯ ବ୍ୟାଚ୍ ଓଏଏସ୍ ଟପ୍ପର୍ ଅଶ୍ୱିନୀ କୁମାର ପଣ୍ଡା । ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେ ସମ୍ୱଲପୁର ଜିଲ୍ଲା ବାମରା ତହସିଲଦାର ଥିବା ଅଶ୍ବିନୀ, ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କୁ ୨୦ ହଜାର ଲାଞ୍ଚ ମାଗିଥିଲେ । ମୂଲଚାଲ ପରେ ୧୫ ହଜାରରେ କଥା ଛିଣ୍ଡିଥିଲା । ସିଧାସଳଖ ନିଜେ ଲାଞ୍ଚ ଟଙ୍କାରେ ହାତ ନଲଗାଇ, ଡ୍ରାଇଭର ଜରିଆରେ ଏହି ଟଙ୍କା ନେବା ବେଳେ, ମାଡ଼ି ବସିଥିଲା ପୂର୍ବରୁ ଜାଲ ବିଛାଇଥିବା ଭିଜିଲାନ୍ସ ଟିମ୍ । ଉଭୟ ତହସିଲଦାର ଓ ତାଙ୍କ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Advertisment

 ଓଏଏସ୍ ଟପ୍ପରଙ୍କ କଳା କାରନାମା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ, ତଦନ୍ତ ଆଗକୁ ବଢ଼ାଇଛି ଭିଜିଲାନ୍ସ । ବାମରା ଅଫିସ ସହ ଯାଜପୁର କ୍ଷେତ୍ରପାଳ ସ୍ଥିତ ପୈତୃକ ଘର ଓ ଭୁବନେଶ୍ୱର ଜୟଦେବ ବିହାରରେ ଥିବା ଫ୍ଲାଟରେ ବି ଚଢ଼ାଉ ହୋଇଛି । ଫ୍ଲାଟରୁ ମିଳିଛି ୪ ଲକ୍ଷ ୭୩ ହଜାର ନଗଦ ଟଙ୍କା ଓ ସୁନାଗହଣା ।

ଦେଶ ଓ ରାଜ୍ୟର ସେବା ଉଦ୍ଦେଶ୍ୟ ଥିବା କହି ଓଏଏସ୍ ଅଧିକାରୀ ବନୁଥିବା ବାବୁମାନଙ୍କ ଚାକିରି ଆରମ୍ଭରୁ ଲାଞ୍ଚ ଲୋଭ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛି।