କନକବ୍ୟୁରୋ : ଦୁରୁଆ ଜନଜାତିକୁ ରୋଜଗାର ଯୋଗାଉଛି ବାଉଁଶ । କୋରାପୁଟ ଜିଲ୍ଲାର ଆଦିବାସୀ ଜନଜାତି ପୁରୁଷ ପୁରୁଷ ଧରି ଜଙ୍ଗଲ ଭିତରେ ବସବାସ କରି ଆସୁଛନ୍ତି । ଆଧୁନିକ ସଭ୍ୟତାକୁ ଗ୍ରହଣ କରି ନେଇଥିଲେ ମଧ୍ୟ ଆଜି ବି ଜଙ୍ଗଲ ସେମାନଙ୍କ ଜୀବନ ଧାରଣର ମାଧ୍ୟମ ପାଲଟିଛି  ।  ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ସହ ସେ ସବୁର ଉପଯୋଗ ତଥା ବିକ୍ରୟ ସେମାନଙ୍କର ରୋଜଗାରର ଏକମାତ୍ର ପନ୍ଥା ପାଲଟିଛି ।

Advertisment

କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ତାଲୁର ଗାଁରେ ବସବାସ କରୁଥିବା ଦୁରୁଆ ଜନଜାତିର ଲୋକେ ଆଜି ମଧ୍ୟ ଜଙ୍ଗଲ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ଜଙ୍ଗଲରେ ମିଳୁଥିବା  ମହୁ, ଝୁଣା ଭଳି ମୂଲ୍ୟବାନ ଦ୍ରବ୍ୟ ସଂଗ୍ରହ କରି ହାଟ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରନ୍ତି  ।   ଗୁପ୍ତେଶ୍ୱର ଜଙ୍ଗଲରେ ପ୍ରଚୁର ପରିମାଣରେ ବାଉଁଶ ମିଳୁଥିବାରୁ ଏଥିରୁ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ପ୍ରସ୍ତୁତ କରି ହାଟ ବଜାରରେ ବିକ୍ରି କରନ୍ତି  ।  ବିଶେଷକରି କୁଲା, ଚାଙ୍ଗୁଡି, ଛପା ତଥା ବାଉଁଶ ଖଡ଼ିକା ତିଆରି କରିବାରେ ସେମାନେ ବେଶ୍ ଦକ୍ଷ  ।  

ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ଆଣିବା ପରେ ସେ ସବୁକୁ ଭାଗ ମାପ ଅନୁଯାୟୀ କାଟି ସେଥିରୁ ବିଭିନ୍ନ ଉପକରଣ ପ୍ରସ୍ତୁତ କରିଥାନ୍ତି  ।  ଏଥିପାଇଁ ସେମାନଙ୍କୁ ଯଥେଷ୍ଟ ସମୟର ଆବଶ୍ୟକତା ପଡ଼ିଥାଏ  ।  ମହିଳା ମାନେ ଏସବୁ ପ୍ରସ୍ତୁତ କରୁଥିବା ବେଳେ ପୁରୁଷ ମାନେ ଏଥିରେ ସହଯୋଗ କରିଥାନ୍ତି ।  ଆଦିବାସୀ ଗାଁ ଗୁଡ଼ିକରେ ବସବାସ କରୁଥିବା ଅନ୍ୟ ଜନଜାତିର ଲୋକେ ଚାଷ ଉପରେ ନିର୍ଭର କରୁଥିବାରୁ କୁଲା, ବଡ଼ ବଡ଼ ଢୋଲା, ଚାଙ୍ଗୁଡିର ବ୍ୟବହାର ବହୁଳ ଭାବରେ କରିଥାନ୍ତି  ।  ବିଶେଷ କରି ଧାନ ଅମଳ ପରେ ଏସବୁର ଆବଶ୍ୟକତା ପଡୁଥିବାରୁ ଅନ୍ୟ ଦିନ ଅପେକ୍ଷା ଶୀତ ଋତୁରେ ଚାହିଦା ବଢ଼ିଥାଏ  ।  ବିବାହ, ବ୍ରତ ଭଳି ସାମାଜିକ ଅନୁଷ୍ଠାନରେ ମଧ୍ୟ ଏସବୁ କାମରେ ଲାଗୁଥିବାରୁ ପଲ୍ଲୀ ଠାରୁ ସହର ଯାଏ ଖୋଜା ପଡ଼ିଥାଏ ଏହି ସବୁ ସାମଗ୍ରୀ  ।