କନକ ବ୍ୟୁରୋ : ଅବହେଳିତ ଯାଜପୁର ଜିଲ୍ଲା ଧର୍ମଶାଳାର ଐତିହାସିକ ବଳରାମପୁର ଗଡ଼ । ରାସ୍ତାଘାଟ ସାଙ୍ଗକୁ ପାନୀୟ ଜଳର ଅଭାବ ବଢ଼ାଇଛି ଲୋକଙ୍କ ଦୁଃଖ । ପ୍ରାକୃତିକ ପରିବେଶ ବିମଣ୍ଡିତ ଗଡ଼ର ସୁରକ୍ଷା ଓ ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ଦାବି ହେଉଛି । ଗଡ଼ର ସୁରକ୍ଷା, ବନୀକରଣ ଓ ପର୍ଯ୍ୟଟନରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଲେ ବିଧାୟକ ।
ଧର୍ମଶାଳା ବ୍ଲକ ତାଳଜଙ୍ଗ ପଞ୍ଚାୟତର ଐତିହାସିକ ବଳରାମପୁର ଗଡ଼ । ଚଣ୍ଡିଖୋଲଠାରୁ ୫୩ ନଂ ଜାତୀୟ ରାଜପଥରେ ପ୍ରାୟ ୧୫ କିମି ଯିବା ପରେ ବାମପଟରେ ପଡ଼େ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଗଡ଼ ଚାରିପଟେ ସବୁଜ ଘଞ୍ଚ ବନାନୀ ସାଙ୍ଗକୁ ଝରଣା । ଗଡ଼ର ମଧ୍ୟସ୍ଥଳରେ ରହିଛି ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର । ମନ୍ଦିରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ପୂଜା ପାଉଥିବା ବେଳେ ଏହା ପ୍ରାୟ ୫ଶହ ବର୍ଷ ତଳର ବୋଲି ଜଣାପଡ଼େ । ରାଜରାଜୁଡ଼ା ଅମଳର ଏହି ଗଡ଼ରେ ରହୁଛନ୍ତି ୫ଶହରୁ ଅଧିକ ଲୋକ ।
ବଳରାମପୁର ଗଡ଼କୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ଅନେକ ସମୟରେ ଦାବି କରନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ଉନ୍ନତୀକରଣ କରାଯାଉନଥିବା ଅଭିଯୋଗ ହେଉଛି । ସମୁଦ୍ର ପତନଠାରୁ ୩ଶହ ଫୁଟ ଉଚ୍ଚରେ ପାନୀୟଜଳ ସମସ୍ୟା ରହିଛି । ରାସ୍ତାଘାଟ ମଧ୍ୟ ଖୁବ୍ ସଂକୀର୍ଣ୍ଣ । ଫଳରେ ପର୍ଯ୍ୟଟକମାନେ ଗଡ଼ରେ ପହଞ୍ଚିବାରେ ଅସୁବିଧା ଭୋଗୁଛନ୍ତି । ଗଡ଼ର ସାମଗ୍ରୀକ ବିକାଶ କରିବାପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହାକୁ ପର୍ଯ୍ୟଟନ ସହ ଯୋଡ଼ିବା ନେଇ ପ୍ରାଶାସନିକ ସ୍ତରରେ ଉଦ୍ୟମ ଚାଲିଥିବା କହିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଦେଓମାଳିର ଉନ୍ନତୀକରଣ ପାଇଁ ୫୦ କୋଟିର ଅନୁଦାନ ଘୋଷଣା କରିଛନ୍ତି । ସେହିକ୍ରମରେ ବଳରାମପୁର ଗଡ଼ର ସାମଗ୍ରୀକ ବିକାଶ ଦିଗରେ ପଦକ୍ଷେପ ନେଲେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇପାରିବ ।