କନକବ୍ୟୁରୋ : ବଲୁଚିସ୍ତାନର ୧୨ ସହରରେ ହୋଇଥିବା ମାରାତ୍ମକ ଆକ୍ରମଣ ପାଇଁ ପାକିସ୍ତାନ ଭାରତକୁ ଦାୟୀ କରିଛି । ବଲୁଚ ଲିବରେସନ୍ ଆର୍ମି (ବିଏଲ୍ଏ)ର ବିଦ୍ରୋହୀମାନେ ଏକକାଳୀନ ଟାର୍ଗେଟ କରାଯାଇଥିବା ସହର ତଥା ପାକିସ୍ତାନୀ ସେନା ବିରୋଧରେ ଏହି ଆକ୍ରମଣ କରିଥିଲେ । ବିଏଲ୍ଏ ଏହି ଆକ୍ରମଣ କରିଥିଲା କାରଣ ପାକିସ୍ତାନୀ ସେନା ବଲୁଚିସ୍ତାନରେ ବଲୁଚ ବିଦ୍ରୋହୀଙ୍କ ବିରୋଧରେ ଏକ ଅଭିଯାନ ଚଳାଇ ୭୦ରୁ ଅଧିକ ବଲୁଚ ବିଦ୍ରୋହୀଙ୍କୁ ହତ୍ୟା କରିଥିବା ଦାବି କରିଥିଲା ।
ଅଧିକ ପଢନ୍ତୁ... ବଜେଟ୍ରେ ଓଡ଼ିଶାକୁ ‘ଖଣିଜ କରିଡର’ ଭେଟି: ବଦଳିବ ଭିତ୍ତିଭୂମିର ରୂପରେଖ, ସଶକ୍ତ ହେବ ଶିଳ୍ପ ସମୃଦ୍ଧ ଓଡ଼ିଶା
ପରବର୍ତ୍ତୀ ସମୟରେ, ବିଏଲ୍ଏ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଛି । ଆକ୍ରମଣରେ ୮୫ରୁ ଅଧିକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ୍ ନକଭି, ବଲୁଚିସ୍ତାନର ସହରରେ ହୋଇଥିବା ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଛନ୍ତି। ଦଶନ୍ଧି ଧରି ଇସଲାମ ନାମରେ ଶହ ଶହ ଆତଙ୍କୀ କାରଖାନା ଚଳାଉଥିବା ତଥା ଆତଙ୍କବାଦୀ ସଂଗଠନକୁ ପ୍ରୋତ୍ସାହିତ କରୁଥିବା ଓ ଜିହାଦ ନାମରେ କାଶ୍ମୀରରେ ଆତଙ୍କ ପ୍ରସାର କରିବା ପାଇଁ ସେମାନଙ୍କୁ ପଠାଉଥିବା ପାକିସ୍ତାନ, ବେଲୁଚିସ୍ତାନରେ ହୋଇଥିବା ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଛି । ହୋଇଥିବା ଆକ୍ରମଣ ପରେ ମୋହସିନ୍ ନକଭି ବଲୁଚିସ୍ତାନର ରାଜଧାନୀ କ୍ୱେଟାରେ ଏଭଳି ଅଭିଯୋଗ କରିଛନ୍ତି ।
କ୍ୱେଟାରେ ଭାଷଣ ଦେଇ, ମୋହସିନ ନକଭି ସିଧାସଳଖ ଭାରତକୁ ଏହି ସମନ୍ୱିତ ଆକ୍ରମଣଗୁଡ଼ିକୁ ପାଣ୍ଠି ଯୋଗାଉଥିବା ଅଭିଯୋଗ କରିଛନ୍ତି। ସେ ଆକ୍ରମଣକାରୀମାନଙ୍କୁ ଫିତନା ଅଲ ହିନ୍ଦୁସ୍ତାନ ବୋଲି କହିଛନ୍ତି । ଗତବର୍ଷ ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଏଭଳି ଅଭିଯୋଗ କରିବା ଆରମ୍ଭ କରିଥିଲା । ବର୍ତ୍ତମାନ ପାକିସ୍ତାନରେ ହେଉଥିବା ସମସ୍ତ ଆତଙ୍କବାଦୀ ଆକ୍ରମଣକୁ ଭାରତ ସହିତ ଯୋଡିବା ଆରମ୍ଭ କରାଯାଇଛି । ଏପରି କରି ପାକିସ୍ତାନ ନୂତନ ନୀତି ଆପଣେଇଛି । ବଲୁଚିସ୍ତାନର ସ୍ୱାଧୀନତା ପାଇଁ ବଲୁଚିସ୍ତାନ ଲିବରେସନ ଆର୍ମି ଲଢୁଛି। ସେହିପରି ତେହେରିକ୍-ଏ-ତାଲିବାନ ପାକିସ୍ତାନରେ ଶରିଆ ଆଇନ ଲାଗୁ କରିବାକୁ ଚାହୁଁଛି । ତେବେ ପାକିସ୍ତାନୀ ସେନା ଇସଲାମିକ୍ ଆଇନ ଲାଗୁ କରିବାରେ ବାଧା ସୃଷ୍ଟି କରୁଛି ।
ମୋହସିନ ନକଭି କ୍ୱେଟାର କୋର ମୁଖ୍ୟାଳୟରେ ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତି ଓ ସାମରିକ ଅଧିକାରୀଙ୍କ ସହ ସାକ୍ଷାତ କରି ଆତଙ୍କବାଦ ବିରୋଧୀ ଅଭିଯାନ ସମୀକ୍ଷା କରିଥିଲେ। ସେ ଆକ୍ରମଣରେ ଜଡିତ ୯୨ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା ଦାବି କରିଛନ୍ତି। ବଲୁଚି ବିଦ୍ରୋହୀଙ୍କ ଆକ୍ରମଣରେ ୧୫ ଜଣ ପାକିସ୍ତାନୀ ସେନା ସୈନିକ ଓ ୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛନ୍ତି। ନକଭି ଆଇନ ଶୃଙ୍ଖଳା କ୍ଷମତାକୁ ସୁଦୃଢ଼ କରିବା ପାଇଁ ଖାଇବର ପଖତୁନଖ୍ୱାରୁ ବୁଲେଟପ୍ରୁଫ୍ ଗାଡ଼ି ସମ୍ପୃକ୍ତ ଅଞ୍ଚଳକୁ ପଠାଇଛନ୍ତି । ଉଲ୍ଲେଖଯୋଗ୍ୟ, ଡିସେମ୍ବର ୩୧ରେ ବଲୁଚିସ୍ତାନର ୧୨ ସହରରେ ଆକ୍ରମଣ କରାଯାଇଥିଲା । ଏହି ଅଭିଯାନକୁ ଅପରେସନ୍ ହେରାଫ୍ ଫେଜ୍-୨ ଭାବେ ନାମିତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/01/01bbs_9_01022026_111-2026-02-01-12-26-20.jpg)