କନକ ବ୍ୟୁରୋ: ପାକିସ୍ତାନର ଏବଂ ଆମେରିକା ମଧ୍ୟରେ ହୋଇଥିବା ତୈଳ ଡିଲ୍‌ କୁ ନେଇ  କଡା ବିରୋଧ କରିଛନ୍ତି ବଲୁଚି ନେତା । ଯେତେବେଳେ ଆମେରିକାକୁ ଶସ୍ତା ତେଲର ଆବଶ୍ୟକତା ପଡିଲା ସେତେବେଳେ ପାକିସ୍ତାନ ବଳୁଚିସ୍ତାନର ଜାଗାକୁ ନିଜ ଜାଗା ଭାବି ଆମେରିକାକୁ ଦେଖାଇଦେଲା । ଆଉ ଆମେରିକା ଅନ୍ଧ ଭାବେ ବିଶ୍ବାସ କରିଦେଲା ଯେ ଏଇଟା ପାକିସ୍ତାନର ଜାଗା । କିନ୍ତୁ ବାସ୍ତବ କଥା ହେଲା ତୈଳ ଭଣ୍ଡାର ପାଇଁ ପାକିସ୍ତାନ ଯେଉଁ ସ୍ଥାନ ଆମେରିକାକୁ ଦେଖାଇଛି ସେ ଜାଗା ହେଉଛି ବଲୁଚିସ୍ତାନର । ଯାହାକୁ ନେଇ ଏବେ ବିବାଦ ଉପୁଜିଛି ।  

Advertisment

ପାକିସ୍ତାନର  ଏହିପରି ମିଛ କଥା ନେଇ ଏକ ଲମ୍ବା ଚଉଡା  ଚିଠି ଟ୍ରମ୍ପଙ୍କୁ ଲେଖିଛନ୍ତି ବଲୁଚି ନେତା ମୀର ୟାର । ମୀର ୟାରଙ୍କ କହିବାନୁଯାୟୀ, ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନୀର ଆମେରିକାକୁ ବଲୁଚିସ୍ତାନର ଭୁଗୋଳ ବିଷୟରେ ଭୁଲ ତଥ୍ୟ ଦେଇଛନ୍ତି । ମୀର ୟାର କହିଛନ୍ତି, ପାକିସ୍ତାନ ଆମେରିକୁ ଏହା ଦେଖାଇବାକୁ ଚାହୁଁଛି ଯେ  ବଲୁଚିସ୍ତାନର ତେଲ ଏବଂ ଖଣିଜ ଭଣ୍ଡାର ତା ନିଜର । କିନ୍ତୁ ବାସ୍ତବରେ ଏହି ଅଞ୍ଚଳ ଐତିହାସିକ ରୂପରେ ଏକ ସ୍ବତନ୍ତ୍ର ବଲୁଚିସ୍ତାନର ଅଂଶବିଶେଷ । ଯାହା  ଉପରେ ପାକିସ୍ତାନ ଯବରଦସ୍ତ ଅବୈଧ ଭାବେ କବ୍ଜା କରି ରଖିଛି । ଏ ସମସ୍ତ କଥା ଟ୍ରମ୍ପଙ୍କ ଲେଖିଥିବା  ଚିଠିରେ ଉଲ୍ଲେଖ କରିଛନ୍ତି ମୀର ୟାର । ଟ୍ରମ୍ପଙ୍କୁ ଚିଠିରେ ମୀର ୟାର ଲେଖିଛନ୍ତି, "ଏହି ଅଞ୍ଚଳର ପ୍ରାକୃତିକ ସମ୍ପଦ ବିଷୟରେ ଆପଣଙ୍କୁ ଭ୍ରମିତ କରାଯାଇଛି । ଏହି ସମ୍ପଦଗୁଡ଼ିକ ପଞ୍ଜାବ କିମ୍ବା ପାକିସ୍ତାନର ନୁହେଁ, ବରଂ ବଲୁଚିସ୍ତାନର ।"

ବାଲୋଚ ନେତାଙ୍କ ସାଂଘାତିକ ଅଭିଯୋଗ
ବଲୁଚିସ୍ତାନର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ତଥା ବାଲୋଚ ଭଏସ୍ ଆସୋସିଏସନର ସଭାପତି ମୁନିର ମେଙ୍ଗଲ ଏକ ବୟାନରେ କହିଛନ୍ତି ଯେ ପାକିସ୍ତାନ, ବେଲୁଚିସ୍ତାନକୁ ଏକ ବିକ୍ରିଯୋଗ୍ୟ ସାମଗ୍ରୀ ଭାବରେ ବ୍ୟବହାର କରୁଛି । ତାଙ୍କ ଅଭିଯୋଗ ଅନୁଯାୟୀ, ପାକିସ୍ତାନ ଆର୍ଥିକ ସହାୟତା ବଦଳରେ ବେଲୁଚିସ୍ତାନର ପ୍ରାକୃତିକ ସମ୍ପଦ ଏବଂ ଏହାର ରଣନୈତିକ ସ୍ଥାନଗୁଡ଼ିକୁ ଆମେରିକାକୁ "ଥାଳିରେ ସଜାଇ" ଦେବାକୁ ପ୍ରସ୍ତୁତ ଅଛି । ମେଙ୍ଗଲ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆମେରିକା ବଲୁଚିସ୍ତାନର ସମ୍ବଳ ଚାହୁଁଛି, ତେବେ ସେମାନେ ପାକିସ୍ତାନ ସହ ନୁହେଁ, ବରଂ ବାଲୋଚ ଲୋକଙ୍କ ସହ ସିଧାସଳଖ କଥା ହେବା ଉଚିତ୍ ।  

ବଲୁଚିସ୍ତାନର ଗୁରୁତ୍ୱ କାହିଁକି?
ବଲୁଚିସ୍ତାନ ପାକିସ୍ତାନର ସବୁଠାରୁ ବଡ଼ ଏବଂ ସମ୍ବଳ-ସମୃଦ୍ଧ ପ୍ରଦେଶ ହେଲେ ମଧ୍ୟ ଏହା ସବୁଠାରୁ ଗରିବ ଅଟେ । ଏହାର କିଛି ମୁଖ୍ୟ କାରଣ ହେଲା:
ପ୍ରାକୃତିକ ସମ୍ପଦ: ଏହି ଅଞ୍ଚଳରେ ପ୍ରଚୁର ପରିମାଣର ପ୍ରାକୃତିକ ଗ୍ୟାସ, ତେଲ, ତମ୍ବା, ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଖଣିଜ ପଦାର୍ଥ ଭରି ରହିଛି ।  ପାକିସ୍ତାନ ଏହି ସମ୍ବଳଗୁଡ଼ିକୁ ଶୋଷଣ କରୁଥିବା ବେଳେ ସ୍ଥାନୀୟ ବାଲୋଚ ଲୋକଙ୍କୁ ଏହାର ଲାଭରୁ ବଞ୍ଚିତ କରୁଥିବା ଅଭିଯୋଗ ହୋଇଆସୁଛି । 

ପାକିସ୍ତାନର ଆର୍ଥିକ ଦୁରାବସ୍ଥା
ବର୍ତ୍ତମାନ ପାକିସ୍ତାନ ଏକ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ଶେଷ ହେବାକୁ ବସିଥିବା ବେଳେ ମୁଦ୍ରାସ୍ଫୀତି ଚରମ ସୀମାରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ପାକିସ୍ତାନ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଏବଂ ଆମେରିକା ଭଳି ଦେଶମାନଙ୍କଠାରୁ ସହାୟତା ପାଇଁ ଆଶାୟୀ । ବାଲୋଚ ନେତାମାନେ ଅଭିଯୋଗ କରୁଛନ୍ତି ଯେ ଏହି ଆର୍ଥିକ ଦୁର୍ବଳତାର ଫାଇଦା ଉଠାଇ ପାକିସ୍ତାନ ସରକାର ବଲୁଚିସ୍ତାନର ଭାଗ୍ୟ ସହ ଖେଳୁଛନ୍ତି ।