କନକ ବ୍ୟୁରୋ : ସୁପରହିଟ୍ ବଲିଉଡ ଫିଲ୍ମ ନାୟକ । ଅନିଲ କପୁରଙ୍କ ନିଖୁଣ ଅଭିନୟ ଆଉ ହିରୋଗିରି ସାରା ଭାରତ ଦେଖିଥିଲା । ଫିଲ୍ମରେ ଖଳନାୟକ ଭୁମିକାରେ ଥିବା ଅମ୍ରେଶପୁରୀଙ୍କୁ ଫସାଇବାକୁ ଯାଇ, ନିଜକୁ ନିଜେ ଗୁଳି କରି ଦେଇଥିଲେ ଅନିଲ । ଡାହାଣ ହାତରେ ବନ୍ଧୁକକୁ ଧରି ନିଜ ବାମ ହାତକୁ ଗୁଳି କରି ଦେଇଥିଲେ । ଆଉ ନାୟକ ପାଲଟିଯାଇଥିଲେ । ନାୟକ ସିନେମାର ଦୃଶ୍ୟକୁ ୯ରୁ ଅଧିକ ଥର ଦେଖିଥିଲା ଦୀପ୍ତି ରଞ୍ଜନ ମହାପାତ୍ର । ପୁରୁଣା ରାଗ ସୁଝାଇବାକୁ ଯାଇ, ରଚିଥିଲା ଷଡ଼ଯନ୍ତ୍ର । ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ଜେଲ ଫେରନ୍ତା ଦୀପ୍ତି, ପୀଡ଼ିତାଙ୍କ ପରିବାରକୁ ଫସାଇବାକୁ ପ୍ରସ୍ତୁତ କରିଥିଲା ଜାଲ । ଫିଲ୍ମର ସିନ୍ ଭଳି ନିଜ ହାତକୁ ନିଜେ ଗୁଳି କରି, ପୀଡ଼ିତାଙ୍କ ସ୍ୱାମୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲା । ପୀଡ଼ିତାଙ୍କ ପରିବାରକୁ ଜେଲରେ ଭର୍ତି କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ହେଲେ ପୁଲିସର ତଦନ୍ତ ସବୁଖେଳ ବିଗାଡ଼ି ଦେଲା । ନାୟକ ନୁହେଁ ବରଂ ଖଳନାୟକ ପାଲଟି ଯାଇଥିଲା ଦୀପ୍ତି ।
ରବିବାର ଭୋର ୩ଟା ବେଳେ, ବାଲିପାଟଣା ଥାନା ପାଚେରୀ ପାଖରେ ଘଟିଥିଲା ଗୁଳିକାଣ୍ଡ । ଦିପ୍ତୀ ପୀଡିତାଙ୍କ ଘର ବାହାରେ ଛିଡା ହୋଇ ନିଜେ ନିଜକୁ ଗୁଳି କରିଥଲା । ପୁଲିସର ସନ୍ଦେହୀ ଆଖିରେ ପଡିଥିଲା ହାତରେ ଥିବା ବ୍ଲାକେନିଙ୍ଗ । ଯେଉଁଥିରେ ପଏଣ୍ଟ ବ୍ଲାଙ୍କରୁ ଗୁଳି ହୋଇଥିବା ପୁଲିସ ଜାଣି ପାରିଥିଲା । ତେବେ ପଚରା ଉଚରା ପରେ, ସବୁ ସତ ମାନି ନିଆଯାଇଥିଲା । ଘଟଣାରେ ଦୀପ୍ତି, ତାକୁ ବନ୍ଧୁକ ଦେଇଥିବା ସାଙ୍ଗ ଅମରେଶ ପ୍ରଧାନ ଓ ତାର ସହଯୋଗୀ ତୋଫାନ୍ ବିସୋୟୀକୁ ଗିରଫ କରାଯାଇଛି। ଅଭିଯୁକ୍ତ ନିକଟରୁ ବନ୍ଧୁକ ଏବଂ ଫୁଟାଗୁଳି ଜବତ କରାଯାଇଛି।
ଅପରାଧ ରୋକିବାକୁ ବେଶ କିଛିଦିନ ହେବ ରାଜ୍ୟ ପୁଲିସ ଏନକାଉଁଟର ପରେ, ଏନକାଉଁଟର କରୁଛି । ଅପରାଧୀମାନେ ବେଧଡକ ଭାବେ ବେଆଇନ ବନ୍ଧୁକ ଧରି ଗଳିକନ୍ଦିରେ ଘୁରି ବୁଲୁଛନ୍ତି । ପୁଲିସକୁ ଚକମା ଦେଇ ବନ୍ଧୁକ ବିକ୍ରି ବି କରୁଛନ୍ତି । ଆଉ ଗୁଳି ଫୁଟାଇ ପୁଲିସକୁ ଚ୍ୟାଲେଞ୍ଜ ଦେବା ଘଟଣା ସାରାରାଜ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।