କନକ ବ୍ୟୁରୋ : କଟକ ବାଲିଯାତ୍ରାକୁ ମିଳିବନି ଜାତୀୟ ମାନ୍ୟତା । ଆଜି ରାଜ୍ୟ ସରକାର ଏମିତି ତଥ୍ୟ ରଖିଛନ୍ତି ବିଧାନସଭାରେ । କେନ୍ଦ୍ର ସରକାର ଏହି ଘୋଷଣା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ପ୍ରସଙ୍ଗକୁ ନୂଆ ମୋଡ଼ ଦେଇଛି । ଓଡ଼ିଶାର ଭାବାବେଗକୁ ଏହା ଶକ୍ତ ଧକ୍କା ଦେଇଛି ।
କଟକର ଐତିହାସିକ ବାଲିଯାତ୍ରା ସହ ଯୋଡ଼ି ହୋଇ ରହିଛି ସବୁ ଓଡ଼ିଆଙ୍କ ଭାବାବେଗ । ଏଣୁ ବର୍ଷ ସାରା ବାଲିଯାତ୍ରାକୁ ଅନେଇ ବସିଥାନ୍ତି ରାଜ୍ୟବାସୀ । ଏହି କାରଣରୁ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳୁ ବୋଲି ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ପୂର୍ବରୁ ବିଜେଡି ସରକାର ଥିବା ବେଳେ ଏହି ଦାବି ଉଠିଥିଲେ ବି ଜାତୀୟ ମାନ୍ୟତା ମିଳିନଥିଲା । ଏଣୁ ସରକାର ବଦଳିବା ପରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ନେଇ ସଞ୍ଚାର ହୋଇଥିଲା ଆଶା କିନ୍ତୁ ଆଜି ବିଧାନସଭାରେ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଉତ୍ତର ରଖି କହିଛନ୍ତି, କୌଣସି ପର୍ବ, ଉତ୍ସବ ଓ ମେଳା ଆଦିକୁ ଜାତୀୟ ମାନ୍ୟତା ଦେବା ବ୍ୟବସ୍ଥା ନାହିଁ ।
ମନ୍ତ୍ରୀଙ୍କ ଉତ୍ତର ପରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପ୍ରସଙ୍ଗରେ କେଁ ପଶିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ଏବେ ମନ୍ତ୍ରୀ ମନା କରିଦେବାକୁ ନେଇ ତେଜିଛି ଅସନ୍ତୋଷ ।
ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଗାଥା ବଖାଣେ କଟକ ବାଲିଯାତ୍ରା । ଜାତୀୟ ମାନ୍ୟତା ମିଳିଥିଲେ, ଓଡ଼ିଆ ସଂସ୍କୃତିର ଅଧିକ ପ୍ରଚାର ପ୍ରସାରର ସୁଯୋଗ ଥିଲା । ଏବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କର କ୍ଷମତା ନ ଥାଇପାରେ କିନ୍ତୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବାକୁ ମୋହନ ସରକାର ପଛଘୁଞ୍ଚା ଦେଉଛନ୍ତି କାହିଁକି ?