କନକ ବ୍ୟୁରୋ: କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷକୁ ନିଶ୍ଚୟ ସଫଳତା ମିଳିଥାଏ । ଆଉ ସେହି ସଙ୍କଳ୍ପକୁ ପାଥେୟ କରି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଡ଼ୁମାଇପୁର ଅଞ୍ଚଳର ମହିଳାମାନେ ଏବେ ରୋଜଗାରକ୍ଷମ ହୋଇପାରିଛନ୍ତି । ଗୋଟିଏ ବ୍ୟବସାୟରୁ ଆରମ୍ଭ ହୋଇଥିବା ଏହି ଗୋଷ୍ଠୀ ଏବେ ଦୁଇ ଦୁଇଟି ବ୍ୟବସାୟ କରୁଛି । 

Advertisment

ମହିଳାମାନେ ଘର କାମ ସାରିବା ପରେ ବଳକା ସମୟକୁ ଉପଯୋଗ କରି ନିଜ ଅଞ୍ଚଳର ଚାଷୀଙ୍କଠାରୁ ମୁଗ ସଂଗ୍ରହ କରି ତାକୁ ଶୁଖାଇ ମେସିନ ସାହାଯ୍ୟରେ ଡାଲି ପ୍ରସ୍ତୁତ କରୁଛନ୍ତି । ସେହି ଡାଲିକୁ ବିଭିନ୍ନ ସାଇଜର ପ୍ୟାକେଟ କରି ସ୍କୁଲ, ଅଙ୍ଗନବାଡି, ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ଖାଲି ସେତିକି ନୁହେଁ ଚାଷୀଙ୍କ ଠାରୁ ବିରି, ପାଣିକଖାରୁ ସଂଗ୍ରହ କରି ସେଥିରେ ବଡ଼ି ତିଆରି କରୁଛନ୍ତି । ବିଭିନ୍ନ ସାଇଜର ପ୍ୟାକେଟ କରି ସ୍ଥାନୀୟ ବଜାରରେ ବିକ୍ରି କରିବା ସହ ଖାଉଟି ମାନଙ୍କୁ ମଧ୍ୟ ବିକ୍ରି କରନ୍ତି । ଏହି କାମ କରି ସ୍ୱାବଲମ୍ବୀ ହୋଇଛନ୍ତି ଗାଁର ୧୩ ଜଣ ମହିଳା । 

୨୦୧୩ ମସିହାରେ ଗାଁର ୧୧ ଜଣ ମହିଳା  ମିଶି ରାଧାସ୍ବାମୀ ସ୍ଵଂୟ ସହାୟିକା ଗୋଷ୍ଠୀ ଗଠନ କରିଥିଲେ । ୨୦୨୩ ମସିହାରେ ଗୋଷ୍ଠୀକୁ କୃଷି ବିଭାଗ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଇଥିଲା ଏକ ଡାଲି ପ୍ରସ୍ତୁତ ମେସିନ । ଆଉ ସେଥିରେ ୮୦ ହଜାର ଟଙ୍କା ବିନିଯୋଗ କରି ୧୧ଜଣ ମହିଳା ମିଶି ଆରମ୍ଭ କରିଥିଲେ ଡାଲି ବ୍ୟବସାୟ । ସେଥିରୁ ଭଲ ଦି ପଇସା ରୋଜଗାର ମଧ୍ୟ ହେଲା । ପରେ ଆଉ କିଛି ରୋଜଗାର ଆଶାରେ ମାର୍କେଟରୁ ବିରି, ପାଣିକଖାରୁ କିଣି ବଡି ପ୍ରସ୍ତୁତ କରୁଛନ୍ତି । ଯେଉଁଥିରେ ପୁଣି ଆଉ ୨ ଜଣ ମହିଳା ଯୋଡି ହୋଇଛନ୍ତି । ବ୍ୟବସାୟ ଆରମ୍ଭ କରିବାର ବର୍ଷକ ଭିତରେ ରୋଜଗାର ପାଖାପାଖି ୧ ଲକ୍ଷ ଟଙ୍କା ହେଲାଣି । ଆଗକୁ ଏଥିରୁ ଭଲ ରୋଜଗାର ହେବ ବୋଲି ସେମାନେ ଆଶା ରଖିଛନ୍ତି । 

ଭୋଗରାଇ ଅଞ୍ଚଳରେ ମୁଗ ଓ ବିରି ଚାଷ ହେଉ ଥିବାରୁ ଏହାକୁ ମାଧ୍ୟମ କରି ଡାଲି ବ୍ୟବସାୟ କରୁଛନ୍ତି ମହିଳା । ଯେବେଠୁ ମହିଳା ମାନେ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି ସେବେ ଠାରୁ ଆଉ ପୁରୁଷଙ୍କ ଉପରେ ନିର୍ଭର ନକରି ନିଜ ଖର୍ଚ ସହ ପରିବାରର ଖର୍ଚ୍ଚ ଉଠାଉଛନ୍ତି ।  ସରକାରୀ ସ୍ତରରେ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ସୁବିଧା ସୁଯୋଗ ମିଳିଲେ ମହିଳା ମାନେ ଆହୁରି ଉପକୃତ ହୋଇପାରନ୍ତେ । ମହିଳାଙ୍କ ହାତ ତିଆରି ଜିନିଷରେ କୌଣସି ଅପମିଶ୍ରଣ ନଥିବାରୁ ବ୍ୟବସାୟ ମଧ୍ୟ ବଢ଼ୁଛି । ମହିଳା ମାନଙ୍କ ଏଭଳି ଉଦ୍ୟମ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛି ।