କନକ ବ୍ୟୁରୋ: ବାଲେଶ୍ୱର ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବାଲେଶ୍ୱରରେ ଘଟଣାର ତୀବ୍ର ପ୍ରତିବାଦ କରିଛନ୍ତି ବିଜେଡି ଓ କଂଗ୍ରେସ । ଦିଲ୍ଲୀରେ ବି ଶୁଭିଛି ସ୍ୱର । କଂଗ୍ରେସ ଭୁବନେଶ୍ୱର ସହ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି । ଆଜି ସନ୍ଧ୍ୟାରେ ବିଜେଡି ଦଳ ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିଛି । 

ଭୁବନେଶ୍ୱର ପରେ ବାଲେଶ୍ୱରରେ ପ୍ରତିବାଦକୁ ଓହ୍ଲାଇଛନ୍ତି ବିଜେଡି, କଂଗ୍ରେସ । କଲେଜ ସମ୍ମୁଖରେ ବିଜେଡି କର୍ମୀମାନେ ଟାୟାର ଜାଳି, ନାରାବାଜି କରିବା ସହ ରାସ୍ତା ଅବରୋଧ କରିଛନ୍ତି । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ଶୋଭାଯାତ୍ରାରେ ଆସି ଡିଆଇଜିଙ୍କୁ ଦାବିପତ୍ର ଦେଇଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ କରିଛି କଂଗ୍ରେସ । ରାଜ୍ୟ ମହିଳା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟି ଏସ୍‌ପିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

Advertisment
  • କାହାକୁ ଶୁଭିଲାନି ଛାତ୍ରୀଙ୍କ ସ୍ୱର?
  • ଦିଲ୍ଲୀରେ ଉଠିଲା ବାଲେଶ୍ୱର ଘଟଣା

ଦିଲ୍ଲୀରେ ଶୁଭିଛି ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଘଟଣାର ସ୍ବର । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । କହିଛନ୍ତି, ଉତ୍ତରପ୍ରଦେଶ ବିହାର ଠାରୁ ବଳିଗଲା ଓଡ଼ିଶା । ପୀଡ଼ିତା ନ୍ୟାୟ ପାଇଁ କେତେ ଜଣଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହେଲେ କେହି ତାଙ୍କ ସମସ୍ୟା ଟିକେ ଶୁଣି ନାହାଁନ୍ତି । ଦିଲ୍ଲୀର ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏପଟେ ଭୁବନେଶ୍ବରରେ ବି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ନେତା । 

ପୀଡ଼ିତାଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା । ବରଗଡ଼ ଶ୍ୟାମାକାଳୀ ମନ୍ଦିରରେ ଛାତ୍ର କଂଗ୍ରେସ ପକ୍ଷରୁ ଦୀପଦାନ କରାଯାଇଛି । ସେହିପରି ବାଲେଶ୍ୱର ଭୋଗରାଇ ବିଚିତ୍ରପୁର ଗାଁ ଲୋକ ମହାଲକ୍ଷ୍ମୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସେହିପରି ସୋରରେ ମହାଦେବ ମନ୍ଦିରରେ ଜଳ ଲାଗି କରାଯାଇଛି ।