କନକ ବ୍ୟୁରୋ: ଗତ ଦୁଇ ଦିନ ସାରାରାଜ୍ୟର ନଜର ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଉପରେ ରହିଛି । ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ? ପୀଡ଼ିତାଙ୍କ ଚିକିତ୍ସା କେମିତି ଚାଲିଛି, ପରିବାର ଲୋକ କଣ କହୁଛନ୍ତି, ତାହା ଜାଣିବାକୁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଲାଗି ରହିଥିଲା । ବିବାଦ ବଢ଼ୁଥିବା ବେଳେ ନିଜ ଆଡୁ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । 

ବାଲେଶ୍ୱର ଏଫ୍‌ଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣାକୁ ନେଇ ସାରାରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ଆଇସିୟୁରେ ଜୀବନ ମରଣ ମଝିରେ ସଂଘର୍ଷ କରୁଛନ୍ତି ପୀଡ଼ିତା । ଏମ୍ସର ୧୦ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ ବି ଏପର୍ଯ୍ୟନ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛି ଉନ୍ନତି ଆସିନି । ଗତକାଲି ଯେମିତି ସଙ୍କଟାପନ୍ନ ଥିଲା ଆଜି ବି ସମାନ ରହିଛି । ଫୁସ୍‌ଫୁସ୍‌ ଓ କିଡ୍‌ନି ପ୍ରଭାବିତ ହୋଇଛି । ଏସବୁ ଭିତରେ ଏମ୍‌ସରେ ପୀଡ଼ିତାଙ୍କ ଡାଏଲିସିସ୍ ବି ହୋଇଛି । ୯୮% ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତା । 

Advertisment

ଝିଅର ସ୍ବାସ୍ଥ୍ୟାବସ୍ଥା ନେଇ କ୍ୟାମେରା ଆଗରେ କାନ୍ଦି କାନ୍ଦି କହିଛନ୍ତି ଛାତ୍ରୀଙ୍କ ବାପା । ଝିଅ ପାଇଁ ପ୍ରାର୍ଥନା କରିବାକୁ ନେହୁରା ହୋଇଛନ୍ତି । ପ୍ରିନ୍ସିପାଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ପୀଡ଼ିତାଙ୍କ ବାପା । ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ବିବାଦ ବଢ଼ୁଥିବା ବେଳେ ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ମହିଳା ଓ ଶିଶୁ ବିକାଶ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କ ଠାରୁ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ନେଇଛନ୍ତି । ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଏବଂ ଗୃହ ସଚିବ ବାଲେଶ୍ୱର ଘଟଣାକୁ ନେଇ ଆଲୋଚନା କରିଛନ୍ତି । ସେପଟେ  ଦ୍ୱିତୀୟ ଦିନରେ ଏଫ୍‌ଏମ୍‌ କଲେଜ ଯାଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।

ଅତିରିକ୍ତ ଏସ୍‌ପି ଓ ଅତିରିକ୍ତ ଡିଏସ୍‌ପି ଆଜି ବି କଲେଜରେ ପହଞ୍ଚି ଯାଞ୍ଚ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି । ଅଧ୍ୟାପକଙ୍କ ନିର୍ଯାତନା, କଲେଜ କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟରେ, ଅସହାୟ ହୋଇ ନିଜ ଦେହରେ ନିଆଁ ଲଗାଇ ଦେବାରୁ ଛାତ୍ରୀ ଜଣଙ୍କ ୯୫ ପ୍ରତିଶତ ପୋଡ଼ି ଯାଇଛନ୍ତି । ଶନିବାରଠାରୁ ଗୁରୁତର ଅବସ୍ଥାରେ ଏମ୍‌ସରେ ତାଙ୍କର ଚିକିତ୍ସା ଚାଲିଛି ।