କନକ ବ୍ୟୁରୋ :  ବାଲେଶ୍ବର ଜିଲ୍ଲା ବସ୍ତା-ବାଲିଆପାଳର ଲାଇଫ୍ ଲାଇନ କୁହାଯାଉଥିବା ପେଜଗଳା ସେତୁ ଏବେ ବିପଦରେ । କେଉଁ ମୁହୂର୍ତ୍ତରେ ଯେ ଭୁଶୁଡ଼ିପଡ଼ିବ କହିହେଉନାହିଁ । ଆଉ ଏହାର ମରାମତି ଦିଗରେ ପୂର୍ତ୍ତ ବିଭାଗ ତରଫରୁ ଧ୍ୟାନ ଦିଆଯାଉନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Advertisment

ବଡ଼ବଡ଼ ଖାଲଖମା। ଲୁହା ଛଡ଼ ଦେଖାଯାଉଛି । ଏମିତି ଗୋଟିଏ ନୁହେଁ, ପୂରା ସେତୁରେ ଯୁଆଡ଼େ ଦେଖିବେ ଏପରି ଅବସ୍ଥା । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ କୋଡ଼ିଆ ଠାରେ ପୂର୍ତ୍ତ ବିଭାଗ ନାବାର୍ଡ ସହାୟତାରେ ଏହି ସେତୁ ନିର୍ମାଣ କରିଥିଲା । ୬୦ କୋଟି ୧୧ ଲକ୍ଷ ୨୯ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ସେତୁ ୨୦୨୧ରେ କାର୍ଯ୍ୟକ୍ଷମ  ହୋଇଥିଲା । ହେଲେ ନିମ୍ନମାନର କାମ ପାଇଁ ମାତ୍ର ୪ ବର୍ଷରେ ସେତୁ ଭୁଶୁଡ଼ିବା ପରିସ୍ଥିତି ସୃଷ୍ଟି ହୋଇଛି ।

ସାମନ୍ୟ ବର୍ଷାରେ ବୁଡ଼ିଯାଏ ପେଜଗଳା। ବସ୍ତା-ବାଲିଆପାଳକୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ । ତେଣୁ ଏହା ଉପରେ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷର ଦାବି ପରେ ଲୋକଙ୍କ ସ୍ବପ୍ନ ବାସ୍ତବ ରୂପ ନେଲା । ଆଉ ସ୍ବପ୍ନ ପୂରଣ ହେବାର ଅଳ୍ପ କେଇଟା ଦିନରେ ଏହା ଲୋକଙ୍କ ପାଇଁ ବିପଦ ସାଜିଛି । ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆସୁଛି । ଆଉ ମରାମତି ନାଁରେ ଖାଲି ଅସ୍ଥାୟୀ ପ୍ୟାଚ୍‌ ପକାଇ ପୂର୍ତ୍ତ ବିଭାଗ କାମ ସାରିଦେଉଥିବା ଅଭିଯୋଗ ଆସିଛି । ତୁରନ୍ତ ପୋଲର ସ୍ଥାୟୀ ମରାମତି ଦିଗରେ ଧ୍ୟାନ ଦେବାକୁ ଦାବି ହୋଇଛି ।