କନକ ବ୍ୟୁରୋ : ନେପାଳର ନିର୍ବାଚନ ଫଳାଫଳ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି । କାଠମାଣ୍ଡୁର ପୂର୍ବତନ ମେୟର ବାଲେନ ଶାହାଙ୍କ ଆରଏସପି ପାର୍ଟି ବହୁମତ ପାଇବା ଦିଗରେ ଆଗକୁ ବଢ଼ୁଛି । ସେପଟେ ଦେଶର ଅନେକ ଥର କ୍ଷମତା ହାତେଇଥିବା ପାରମ୍ପରିକ ଦଳମାନଙ୍କ ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି । ଗଣତିର ଟ୍ରେଣ୍ଡ ଯଦି ସମାନ ସ୍ଥିତିରେ ଆଗକୁ ବଢ଼େ ତେବେ ଦୀର୍ଘ ୩୬ ବର୍ଷ ପରେ ଗୋଟିଏ ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ପ୍ରଚଣ୍ଡ ବହୁମତ ମିଳିପାରେ ।
ନେପାଳ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ସମସ୍ତଙ୍କୁ ଚକିତ କରିଲାଣି ପ୍ରାରମ୍ଭିକ ଫଳାଫଳ । ଜାରି ରହିଥିବା ମତଗଣନାରୁ ସ୍ପଷ୍ଟ ହେବାକୁ ଲାଗିଛି କି ନେପାଳ ରାଜନୀତିରେ ବଡ଼ ଅଦଳବଦଳ ହେବାକୁ ଯାଉଛି । ମାର୍ଚ୍ଚ ୫ ତାରିଖରେ ହୋଇଥିବା ଭୋଟଦାନରେ କାଠମାଣ୍ଡୁର ପୂର୍ବତନ ମେୟର ବାଲେନ ଶାହଙ୍କ ପାର୍ଟି ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ବହୁମତରେ ଆଗକୁ ବଢ଼ିବାରେ ଲାଗିଛି । ସେପଟେ ପାରମ୍ପାରିକ ଦଳମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।
ଅଧିକ ପଢ଼ନ୍ତୁ : ନେପାଳ ସାଧାରଣ ନିର୍ବାଚନ: ବିପୁଳ ବିଜୟ ଦିଗରେ ଜେନ୍ ଜିଙ୍କ ପସନ୍ଦ ବାଲେନ୍ ଶାହ
ତାଜା ସୂଚନା ମୁତାବକ ୨୭୫ ସଦସ୍ୟ ନେପାଳ ସଂସଦ ପାଇଁ ପ୍ରତ୍ୟେକ୍ଷ ୧୬୫ ଆସନରେ ମତଦାନ ହୋଇଥିଲା । ଶୁକ୍ରବାର ମଧ୍ୟରାତ୍ର ସୁଦ୍ଧା ଗଣତି ମୁତାବକ ଆରଏସପି ୧୧୭ ଆସନରେ ଆଗୁଆ ରହିଛି । ତେଣୁ ବାଲେନ ଶାହଙ୍କ ପ୍ରଧାନମନ୍ତ୍ରୀ ହେବା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଗୋଟିଏ ପଟେ ଆରଏସପି ବହୁମତରେ ଆଗକୁ ବଢ଼ୁଥିବା ବେଳେ ନେପାଳୀ କଂଗ୍ରେସ ଓ ନେପାଳ କମ୍ୟୁନିଷ୍ଟ ପାର୍ଟିକୁ ଜନତା ଅଗ୍ରାହ୍ୟ କରିଦେଇଛନ୍ତି ।
୧୧୭ ଆସନରେ ଆରଏସପି ଆଗକୁ ବଢ଼ୁଥିବା ବେଳେ ଦ୍ୱିତୀୟ ସ୍ଥାନରେ ନେପାଳ କଂଗ୍ରେସ ୧୫ ଆସନ ଓ କେପି ଓଲିଙ୍କ ନେତୃତ୍ୱରେ ଚାଲୁଥିବା ୟୁଏମଏଲ ମାତ୍ର ୧୩ ଟି ଆସନରେ ଆଗୁଆ ରହିଛି । ସେପଟେ ପ୍ରଚଣ୍ଡଙ୍କ ନେତୃତ୍ୱରେ ଚାଲିଥିବା ରାଜନୈତିକ ଦଳ ଏମାନଙ୍କ ଠାରୁ ଖରାପ ପ୍ରଦର୍ଶନ କରୁଛି । ନେପାଳର ବଡ଼ ବଡ଼ ନେତାଙ୍କ ମଧ୍ୟରୁ ପ୍ରଚଣ୍ଡ କେବଳ ନିଜ ଆସନରେ ଜିତିବା ସ୍ଥିତିରେ ରହିଛନ୍ତି ।
ଅଧିକ ପଢ଼ନ୍ତୁ : ଯୁବ ଆନ୍ଦୋଳନ ପରେ ନେପାଳରେ ମହା ଭୋଟ୍ ଯୁଦ୍ଧ: କେଉଁଠି ବସିବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ?
ନେପାଳରେ ମୋଟ ୧ କୋଟି ୮୯ ଲକ୍ଷ ମତଦାତା । ମୋଟ ୨୭୫ ଆସନ ପାଇଁ ଭୋଟିଂ ହୋଇଛି । ହେଲେ ୧୬୫ ଆସନରେ ପ୍ରତ୍ୟେକ୍ଷ ମତଦାନ ହୋଇଛି । ଏଥିରୁ ଦୁଇ ତୃତୀୟାଂଶ ଆସନରେ ଆରଏସପି ଆଗକୁ ବଢ଼ୁଥିବା ଦେଖିବାକୁ ମିଳିଛି ।
ସେପଟେ ସମାନୁପାତିକ ସିଷ୍ଟମରେ ୧୧୦ ଟି ଆସନରେ ଭୋଟ ଗଣତି ଚାଲିଛି । ଯାହାର ଫଳାଫଳ ଶେଷରେ ଜଣାପଡ଼ିବ । ପ୍ରତ୍ୟେକ୍ଷ ମତଦାନରେ ଆରଏସପିକୁ ଦୁଇ ତୃତୀୟାଂଶ ଆସନ ମିଳିବାକୁ ଯାଉଥିବା ବେଳେ ସମାନୁପାତିକ ମତଦାନରେ ଆରଏସପିକୁ ୫୦ ଆସନ ମିଳିବ ବୋଲି ଅନୁମାନ କରାଯାଉଛି ।
Follow Us